ରାଜଧାନୀରେ କୋକେନ୍ ବିକ୍ରି: ୪ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ

ଭୁବନେଶ୍ୱର: ରାଜଧାନୀରୁ ପ୍ରଥମ ଥର ପାଇଁ କୋକେନ୍ ମିଳିବା ଘଟଣାରେ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡ । କୋକେନ୍ ବିକ୍ରି ଯୋଜନା କରି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରବି କୁମାର-ଶନି କୁମାରକୁ ରିମାଣ୍ଡରେ ନେଲା ଏସଟିଏଫ୍ । ଘଟଣାରେ ଗିରଫ ହୋଇଥିବା ସନି ଓ ରବିଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି କୋକେନ ବିକ୍ରି ପଛର ସତ ଓଗାଳୁଛି ଏସଟିଏଫ ।

ସୂଚନା ଅନୁଯାୟୀ, ୧୨ ତାରିଖ ଦିନ ଭୁବନେଶ୍ୱର ଜାଭିୟର ଛକରୁ ୨୦୨ ଗ୍ରାମ କୋକେନ୍ ଜବତ କରିଥିଲା ଏସଟିଏଫ । ଗିରଫ ଅଭିଯୁକ୍ତମାନେ ରାଜସ୍ଥାନର ରବି ଏବଂ ସନି କୁମାର ।ଜବତ କୋକେନର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା । ଓଡ଼ିଶାରୁ କୋକେନ୍ ଜବତ ହେବା ଏହା ପ୍ରଥମ ଘଟଣା ଥିଲା । ଦିଲ୍ଲୀର କୋକେନ ମାଫିଆଙ୍କ ଠାରୁ କୋକେନ କିଣୁଥିଲା ରବି ।

ପୋଲିସର ସୂଚନା ଅନୁଯାୟୀ, ଦିଲ୍ଲୀରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ସମୟରୁ ସେ କୋକେନ୍ ବିଜନେସ୍ କରି ଆସୁଥିଲେ । ଦିଲ୍ଲୀ ପରେ ବଡ଼ ବଡ଼ ସହରରେ କୋକେନ୍ ବିକ୍ରି କରିବାକୁ ଯୋଜନା କରିଥିଲା ରବି । କିଛି ବିଦେଶୀଙ୍କ ସହ ତାର ଲିଙ୍କ୍ ରହିଥିବାର କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ରିମାଣ୍ଡ ବେଳେ ଅଭିଯୁକ୍ତଙ୍କ ସହ ଅନ୍ୟ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପଚରା ଉଚରା କରୁଛି ଏସଟିଏଫ । ବିଶେଷକରି ସାଉଥ ଆଫ୍ରିକା ଓ ଦିଲ୍ଲୀର ତୁର୍କମାନ ଲିଙ୍କ ନେଇ ପଚରାଉଚରା କରୁଛି ଏସଟିଏଫ ।

ତେବେ, ରାଜଧାନୀରେ କାହା ଜରିଆରେ କୋକେନ ବିକ୍ରି କରୁଥିଲେ ଏହି ମାଷ୍ଟର ମାଇଣ୍ଡ? କାହା ପାଇଁ ପ୍ରଥମ ଥର ଓଡ଼ିଶାକୁ ଆସିଥିଲା କୋକେନ ? କୋକେନ ନେଟୱାର୍କିଂଗ ପଛରେ କାହାର ରହିଛ ବଡ଼ ହାତ ? ଏପରି ଅନେକ ପ୍ରଶ୍ନର ପଛର ସତକୁ ସାମ୍ନାକୁ ଆଣିବ ଏସଟିଏଫ । ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁଇ କୋକେନ୍ ମାଫିଆଙ୍କ ଟାର୍ଗେଟରେ ଥିଲା ୨୦୨୩ ହକି ବିଶ୍ବକପ । ଯାହାକୁ ନଜରରେ ରଖି ଏହି ୨ ଅଭିଯୁକ୍ତ ବିକ୍ରି ପାଇଁ ପ୍ରସ୍ତୁତ କରିଥିଲେ ମାଷ୍ଟର ପ୍ଲାନ ।ବଡ଼ ବଡ଼ ମେଗା ଇଭେଣ୍ଟରେ ଗ୍ରାହକଙ୍କୁ ଟାର୍ଗେଟ କରି ପ୍ରଥମଥର ପାଇଁ କୋକେନକୁ ଭୁବନେଶ୍ୱର ବଜାରକୁ ଏଣ୍ଟ୍ରି କରାଯାଇଥିଲା । ଭୁବନେଶ୍ୱରରେ ଆଉ କାହା ସହ ସେମାନଙ୍କ ରହିଛି ଲିଙ୍କ୍ ସେ ନେଇ ଖୋଳତା଼ଡ ବି କରିବ ଏସଟିଏଫ୍ ।