ମିଳିଲା ମାଷ୍ଟର ମାଇଣ୍ଡ ଶର୍ମିଷ୍ଠାଙ୍କ କାର: ଅପହରଣ ପଛରେ ଗାଡ଼ି ବ୍ୟବହାର ହୋଇଥିବା ଅନୁମାନ

ଭୁବନେଶ୍ୱର: କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୋଲିସକୁ ମିଳିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ରାଜଧାନୀ ଭୁବନେଶ୍ୱରରୁ ମିଳିଲା ଫେରାର ଶର୍ମିଷ୍ଠା ରାଉତଙ୍କ କାର । ଏୟାରଫିଲଡ ଥାନା ସ୍କାଏ ଟାୱର ଆପାର୍ଟମେଣ୍ଟ ଗ୍ୟାରେଜରୁ ଗାଡ଼ି ମିଳିଥିବା ସୂଚନା ।ତେବେ ଗାଡ଼ିଟି ଶର୍ମିଷ୍ଠାଙ୍କ ନାଁରେ ରହିଛି । ଗାଡିର ଇନ୍ସ୍ୟୁରାନ୍ସ ସରି ଯାଇଥିବା ସମୟରେ ପଲ୍ୟୁସନ୍ ସାର୍ଟିଫିକେଟ ମଧ୍ୟ ନାହିଁ  । ଘଟଣାରେ ମାନସଙ୍କୁ ଅପହରଣ ପଛରେ ଏହି ଗାଡିର ବ୍ୟବହାର କରା ଯାଇଥିବା ଅନୁମାନ କରାଯାଉଛି ।ତେବେ ଗାଡିର ଯାଞ୍ଚ ପାଇଁ ଚାନ୍ଦବାଲି ପୋଲିସର ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଆସୁଛନ୍ତି ।

ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବେ ବି ଫେରାର ଅଛନ୍ତି । ଘଟଣାରେ ସୋମବାର ଦିନ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ସାମିଲ ଥିବା ନେଇ ଗିରଫ ହୋଇଥିଲେ । ସେହିଭଳି ମାନସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତର ଭାଇ ପରମେଶ୍ୱର ରାଉତକୁ ମଧ୍ୟ ଗତକାଲି ବିଜୟଓ୍ୱାଡାରୁ ଗିରଫ କରିଥିଲା ପୋଲିସ । ହତ୍ୟା ଘଟଣା ପରେ ଭଉଣୀ ଶର୍ମିଷ୍ଠାକୁ ଫେରାର କରିବାକୁ ପ୍ରି-ପ୍ଲାନ କରିଥିଲା ପରମେଶ୍ବର ।

ତେବେ ଭଦ୍ରକ ପୋଲିସର ଜେରା ପରେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲା ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା। ତେବେ କୋର୍ଟ ଏହି ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ।ଘଟଣାରେ ଏବେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କର କୌଣସି ଟେର ପାଇପାରୁନାହିଁ ପୋଲିସ । ଏନେଇ ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଅନ୍ୟପକ୍ଷେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପରମେଶ୍ୱରଙ୍କୁ ଓଡ଼ିଶା ଆଣୁଛି ।