ଖୋଲିଲା କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାର ଗୁମର, ହତ୍ୟା ପାଇଁ ୩୦ ଲକ୍ଷର ଡିଲ୍

ଭୁବନେଶ୍ୱର: ବହୁଚର୍ଚ୍ଚିତ ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାର ଖୋଲିଛି ହତ୍ୟା ରହସ୍ୟ ପଛରେ ଥିବା ଗୁମର । କୃଷ୍ଣଚନ୍ଦ୍ର ଓରଫ କାଳିଆ ପ୍ରତିହାରୀ ହତ୍ୟା ଘଟଣାରେ ସାମିଲ ହୋଇଥିବା ୬ ଜଣଙ୍କୁ ଗିରଫ କରିଛି ପୋଲିସ । ପ୍ରତିଶୋଧ ପାଇଁ କାଳିଆଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଏସପି । ଘଟଣାରେ ୯ଜଣଙ୍କ ସମ୍ପୃକ୍ତି ଥିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ୬ ଜଣଙ୍କ ମଧ୍ୟରେ ଗୁନ ସିଂହାରୀର ଭାଇ କାଳିଆ ସିଂହାରୀ ଓ ପୁତୁରା ଦୋଳଗୋବିନ୍ଦ ସାମିଲ ଅଛନ୍ତି । ସୂଚନା ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।

ସୂଚନା ଅନୁଯାୟୀ, କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା ପାଇଁ କରାଯାଇଥିଲା ପ୍ରି ପ୍ଲାନ ମର୍ଡର ଯୋଜନା । ହତ୍ୟା ପାଇଁ ହୋଇଥିଲା ପ୍ରାୟ ୩୦ ଲକ୍ଷ ଟଙ୍କାର ଡିଲ୍ । ସେହିଭଳି ହତ୍ୟାରେ ବ୍ୟବହୃତ ବନ୍ଧୁକର ବ୍ୟବସ୍ଥା ନିମନ୍ତେ ଦିଆଯାଇଥିଲା ପ୍ରାୟ ୭୦ ହଜାର ଟଙ୍କା । ତେବେ ଦୋଷୀଙ୍କ ନିକଟରୁ ଦେଢଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଗତ ୧୬ ତାରିଖରେ ବାରବାଟୀ ଜାଗାରେ କାଳିଆଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଅନ୍ୟପକ୍ଷେ ପ୍ରି ପ୍ଲାନ ମର୍ଡର ଯୋଜନା ଅନୁଯାୟୀ, ୧୬ ତାରିଖ ପୂର୍ବରୁ ମଧ୍ୟ ଆକ୍ରମଣ ଉଦ୍ୟମ କରାଯାଇଥିଲେ ସୁଦ୍ଧା ଏଥିରେ ବିଫଳ ହୋଇଥିଲେ ହତ୍ୟାକାରୀ ।

ସୂଚନାଯୋଗ୍ୟଯେ ୨୦୧୨ ମସିହା ଅଗଷ୍ଟ ୨୨ ତାରିଖରେ ତଳୁଚ୍ଛ ଭଗବାନ ମହାପାତ୍ର ଓରଫ ଗୁନ ସିଂହାରୀଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ମାମଲାର ପ୍ରତିଶୋଧ ନେବାକୁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ତେବେ ଏହି ହତ୍ୟାକାଣ୍ଡରେ ସ୍ଥଳରେ ଉପସ୍ଥିତ ଥିବା ବାବା ମହାପାତ୍ରକୁ ଗିରଫ କରାଯାଇଛି । ସେହିପରି ହତ୍ୟାକାଣ୍ଡ ପାଇଁ ପିସ୍ତଲ ଯୋଗାଇଥିବା ମୁନା ପାତ୍ର ଏବଂ ହତ୍ୟାକାରୀଙ୍କୁ ଲୁଚାଇବାରେ ସହାୟତା କରିଥିବା ସନ୍ଦୀପ ଜେନା ଗିରଫ ହୋଇଛି । ସେହିଭଳି ଘଟଣାରେ ୯ଜଣଙ୍କ ସମ୍ପୃକ୍ତି ଥିବା ବେଳେ ୬ ଜଣଙ୍କୁ ଗିରଫ କରାଯିବା ସହ ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।