ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଚ୍ଛୋଳ ପଂଚାୟତରେ ସାମ୍ବାଦିକଙ୍କ ଉପରେ ମରଣାତ୍ମକ ଆକ୍ରମଣ । ଭୋଟ ବାକ୍ସ ଛଡ଼ାଇ ନେବା ବେଳେ କିଛି ସାମ୍ବାଦିକ ଚିତ୍ର ଉତୋଳନ କରୁଥିବାରୁ ଦୁର୍ବତ୍ତମାନେ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ । ଏପରିକି ପୋଲିସ ହେପାଜତରୁ ଦୁର୍ବତ୍ତମାନେ ସାମ୍ବାଦିକଙ୍କୁ ଘୋଷାଡ଼଼ି ଆଣି ମାଡ଼ ମାରିଥିଲେ । ଏହି ଘଟଣାରେ ପୋଲିସ ଗତକାଲି ୧୧ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ଆଜି ୪୨ ଜଣଙ୍କ ନାଁରେ ମାମଲା ରୁଜୁ କରି ଗିରଫ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ତେବେ ଏମାନଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ଗିରଫ ହୋଇଛନ୍ତି । ଉକ୍ତ ଘଟଣାକୁ ନେଇ ବାଚ୍ଛୋଳ ପଂଚାୟତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି । ବ୍ୟାପକ ପରିମାଣର ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଉ କିଛି ଅଭିଯୁକ୍ତଙ୍କୁ ଧରିବା ପାଇଁ ଅପରେସନ ଜାରି ରଖିଛି ପୋଲିସ।
ସୂଚନାନୁସାରେ ରବିବାର ତୃତୀୟ ପର୍ୟ୍ୟାୟ ମତଦାନ ଚାଲିଥିବା ବେଳେ ନିର୍ଦ୍ଦିଷ୍ଟ ଦଳର କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଘଟିଥିଲା ଏହି ଘଟଣା । ଘଟଣାକୁ ନେଇ ଏବେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ରାଜ୍ୟର ଗଣମାଧ୍ୟମ ପ୍ରତିଷ୍ଠାନର ସମ୍ପାଦକ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ପରେ ତୁରନ୍ତ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଡିଜିପିଙ୍କ ନିର୍ଦ୍ଦେଶ ପରେ ବିଞ୍ଝାରପୁର ବାଛୋଳ ଗାଁରେ ୫ଟି ଥାନାର ଥାନାଧିକାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ଆକ୍ରମଣରେ ସମ୍ପୃକ୍ତ କୁହାଯାଉଥିବା ୨୫ ଜଣଙ୍କୁ ବାଛୋଳ ଗାଁରୁ ଉଠାଇ ଆଣିଥିଲା ପୋଲିସ ।