ଯୁବ କଂଗ୍ରେସ ପକ୍ଷରୁ ମହିଳା ସମ୍ମାନ ଦିବସ ପାଳିତ

ରାଉରକେଲା: ଅଖିଳ ଭାରତୀୟ କଂଗ୍ରେସ କମିଟି ର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧିଙ୍କ ୭୫ତମ ଜନ୍ମ ଦିବସକୁ ରାଉରକେଲା ଯୁବ କଂଗ୍ରେସ ପକ୍ଷରୁ ମହିଳା ସମ୍ମାନ ଦିବସ ରୂପେ ସେକ୍ଟର-୧୩ କମ୍ୟୁନିଟି ସେଣ୍ଟରରେ ପାଳନ କରିଛି । ସଭାପତି ଜ୍ଞାନେନ୍ଦ୍ର ଦାସଙ୍କ ସଭାପତିତ୍ବରେ ଆଜି ସନ୍ଧ୍ୟାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ପ୍ରକ୍ତାନ ରଘୁନାଥପାଲୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ସୁନାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଭାପତି ବିରେନ ସେନାପତି, ପୂର୍ବତନ କାର୍ୟ୍ୟକାରୀ ସଭାପତି ସବୀର ହୁସେନ, ପିସିସି ମହିଳା କାର୍ୟ୍ୟକାରୀ ସଦସ୍ୟା ପ୍ରଭାତୀ ମିଶ୍ର, ରାଉରକେଲା ମହିଳା ସଭାନେତ୍ରୀ ନିରୁପମା ବଳିଆରସିଂ, ରାଉରକେଲା ଯୁବ କଂଗ୍ରେସ ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ ବିରେନ କୁମାର ଦଳେଇ , ରଘୁନାଥପାଲୀ ଯୁବ ସଭାପତି ଅନୀଲ ଗୁରୁଙ୍ଗ ପ୍ରମୁଖ ମଞ୍ଚାସୀନ ଥିଲେ। ସମସ୍ତ ମଞ୍ଚାସୀନ ଅତିଥି ସୋନିଆ ଗାନ୍ଧିଙ୍କ ତ୍ୟାଗ ଓ କର୍ତ୍ତବ୍ୟପରାୟଣ ଉପରେ ନିଜର ମତାମତ ରଖିଥିଲେ ।


ଏହି ଅବସରରେ ସ୍ବାସ୍ଥ୍ୟ, ଶିକ୍ଷା,କଳା, ସଂସ୍କୃତି , ସାମ୍ବାଦିକତା ଓ ସାମାଜିକ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ୨୪ଜଣ ପ୍ରତିଭାବାନ ମହିଳାଙ୍କୁ ମାନପତ୍ର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ମୃତ୍ୟୁ ବରଣ କରିଥିବା ସମସ୍ତଙ୍କ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଯୁବ କଂଗ୍ରେସର ମହିଳା ସମ୍ମାନ ଦିବସ ପାଳନକୁ ସମସ୍ତ ଉପସ୍ଥିତ ନେତୃବୃନ୍ଦ ଓ କର୍ମୀ ସମେତ ବିଭିନ୍ନ ମହଲରୁ ବେଶ ପ୍ରଶଂସା କରାଯାଇଥିଲା।