ରାଉରକେଲା: ଆଇନ ଏକ ଶୃଙ୍ଖଳିତ ବ୍ୟବସ୍ଥା। ଆଇନ ନରହିଲେ ପୃଥିବୀ ଧ୍ବଂସ ହେବ ବୋଲି କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡିଆ ଆବାହକ ଡଃ ବିଜୟାନନ୍ଦ ସିଂହ କହିଛନ୍ତି। ରାଉରକେଲା ଆଇନ ମହାବିଦ୍ୟାଳୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ର ମିଳିତ ଆନୁକୂଲ୍ୟରେ ଦ୍ବିଦିବସୀୟ ଆଲୋଚନାଚକ୍ରର ଦ୍ବିତୀୟ ଦିନରେ “ଓଡିଆ ସାହିତ୍ୟରେ ଆଇନ ଚର୍ଚ୍ଚା “ସଂପର୍କରେ ଆଲୋଚନା କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ଡଃ ସିଂହ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରା ଙ୍କ ସଭପତିତ୍ବ ଓ ରଂଜିତା ମାଝୀଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ର ର ପ୍ରଥମ ଅଧିବେଶନରେ କେନ୍ଦ୍ର ସାହିତ୍ୟ ଏକାଡେମୀ ର ଓଡିଆ ଆବାହକ ଡଃ ବିଜୟାନନ୍ଦ ସିଂହ ଅଧ୍ୟକ୍ଷତା କରିଥିବାବେଳେ ଏନଆଇଟି ର ନିର୍ଦ୍ଦେଶକ ପ୍ରଫେସର ଡଃ ସୀମାଞ୍ଚଳ ପାଣିଗ୍ରାହୀ ମୁଖ୍ୟଅତିଥି ତଥା ଉଦଘାଟକ ଭାବେ ଯୋଗଦେଇଥିବା ବେଳେ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ ସମ୍ବଲପୁର ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଡଃ ବିଜୟାନନ୍ଦ ବେହେରା। ଏହି ଅବସରରେ ମୁଖ୍ୟ ଅତିଥି ପ୍ରଫେସର ଡଃ ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ କହିଲେ ଯେ ଆଇନ ବିଦ୍ୟାକୁ ଓଡିଆ ଭାଷାରେ ଲେଖାଗଲେ ତାହା ସୁଦୂର ପ୍ରସାରୀ ହୋଇପାରିବ ଓ ସମସ୍ତଙ୍କ ପାଇଁ ବୋଧଗମ୍ୟ ହୋଇପାରିବ।
ପ୍ରାରମ୍ଭରେ ମହାବିଦ୍ୟାଳୟର ସୁଶ୍ରୀ ସଂଗୀତା ଦାଶ,ସ୍ବାଗତିକା ନାୟକ, ଲିପ୍ସା ରାଣୀ ପୃଷେଠ, ସୁଚିତ୍ରା ସାହୁ,ଅଞ୍ଚଳ ପ୍ରଧାନ, ମାନସୀ ସା ପ୍ରମୁଖ ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ସୁଶ୍ରୀ କରିସ୍ମା ପ୍ରଧାନ ଓ ସୁଶ୍ରୀ କିରଣ ସିଂହ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ଡଃ ରୁକ୍ମଣୀ ସାହୁଙ୍କ ପୁସ୍ତକ ‘ହେ ସାରଥୀ ରଥ ବାହିନିଅ’ ଓ ନିରଞ୍ଜନ ମେକାପଙ୍କ ‘ ଜଗତଜନନୀ ଶାରଳା’ପୁସ୍ତକକୁ ଅତିଥିଙ୍କ ଦ୍ବାରା ଲୋକାର୍ପିତ କରାଯାଇଥିଲା। ଏହି କାର୍ୟ୍ୟକ୍ରମ ରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ର ସ୍ନାତକୋତ୍ତର ଓ ଆଲୋଚନାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। କାର୍ୟ୍ୟକ୍ରମ ପରିଚାଳନା ରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।