ଗୋପ (ଜୟନ୍ତ କୁମାର ସେଠୀ) ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ସାତଶଙ୍ଖ ସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାରେ ଥିବା ରଥପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତ ଆକାଉଣ୍ଟ ସମେତ ଓଡିଶା ଜୀବିକା ମିଶନର ୩ଟି ପଞ୍ଚାୟତସ୍ତରୀୟ ସଂଘର ଆକାଉଣ୍ଟରୁ ମୋଟ ୩୮ ଲକ୍ଷରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ହେବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହି ଘଟଣାରେ ସେହି ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକଙ୍କ ସମେତ ଅନ୍ୟ ୫ଜଣ କର୍ମଚାରୀଙ୍କୁ ପିପିଲି ପୁଲିସ ଗିରଫ କରିଛି ।
ସେମାନଙ୍କୁ ପୁଲିସ ଗତକାଲି ପିପିଲି କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସମସ୍ତ ଅଭିଯୁକ୍ତଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ସନ୍ତୋଷ କୁମାର ନାୟକ (୫୯), ପୂର୍ବତନ ବ୍ୟାଙ୍କ ଅଫିସର ପଦ୍ମନ ବେହେରା (୫୮), ଯୋଗେଶ ସାହୁ (୩୫), ପୂର୍ବତନ କ୍ଲର୍କ ମନୋଜ କୁମାର ପାତ୍ର (୨୯), ପୂର୍ବତନ କ୍ଲର୍କ ଅମୀୟ କୁମାର ସାହୁ (୨୬) ଓ ପୂର୍ବତନ କ୍ଲର୍କ ଭାଗ୍ୟଶ୍ରୀ ମହାପାତ୍ର (୨୭) । ପୁଲିସ ଏହି ଘଟଣାରେ ବ୍ୟାଙ୍କର କେତେକ ଚେକ୍ ବହି, ଉଠାଣ ଫର୍ମ, ଡେବିଟ୍ ଭାଉଚର ସମେତ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଜବତ କରିଛି ।