ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ବାଘପାଲି ଜଙ୍ଗଲରେ ବିଦ୍ୟୁତ ଫାଶରେ ପଡି ଶିକାରୀଙ୍କ ମୃତ୍ୟୁକୁ ୫ ଦିନ ପରେ ମଧ୍ୟ ମୃତକଙ୍କ ଫେରାର ସହଯୋଗୀଙ୍କୁ ଗିରଫ କରିପାରିନି ପୋଲିସ । ତେଣୁ ଏ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ନିଜ ସହଯୋଗୀଙ୍କ ସହ ଜଙ୍ଗଲରେ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଘପାଲି ଗ୍ରାମର ହରିଶ୍ଚନ୍ଦ୍ର ପ୍ରଧାନ ଗତ ଶନିବାର ରାତିରେ ମୃତ୍ୟୁବରଣ କରିଥିଲେ । ଏହାପରେ ସହଯୋଗୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ରବିବାର ସକାଳୁ ଖବର ପାଇ ବନ୍ୟ ଓ ବିଦ୍ୟୁତ ବିଭାଗ ଅଧିକାରୀ ଆସି ତଦନ୍ତ ଆରମ୍ଭ କରିଥିଲେ ।
ବନବିଭାଗ ପକ୍ଷରୁ ବୀରମହାରାଜପୁର ଥାନାରେ ଅଭିଯୋଗ ପରେ ଏହାକୁ ଆଧାର କରି ପୋଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ଘଟଣାସ୍ଥଳରୁ ଅନ୍ୟ ହଳେ ଚପଲ ଏବଂ ଗୋଟିଏ ଗାମୁଛାକୁ ଦେଖି ଏଠାରେ କିଛି ସହଯୋଗୀ ଥିବା ପୋଲିସ ଅନୁମାନ କରୁଛି । ତେବେ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ କାହାକୁ ଗିରଫ କରିପାରିନଥିବା ସୂଚନା ମିଳିଛି ।