ବନ୍ଦ ହେଲା ଦେଶର ୫୩୯ ଚାଇଲ୍ଡ କେୟାର ଇଷ୍ଟିଚ୍ୟୁଟ

(ରିପୋର୍ଟସ ଟୁଡ଼େ): ବିହାରର ମୁଜାଫରପୁର ଏବଂ ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ବାଳ ଆଶ୍ରମରେ ରହୁଥିବା ଶିଶୁଙ୍କ ସହିତ ଯୌନ ନିର୍ୟାତନା ମାମଲା ଲୋକଲୋଚନକୁ ଆସିବା ପରେ ସରକାର ଅଗଷ୍ଟରୁ ଆରମ୍ଭ କରି ଏପର୍ୟ୍ୟନ୍ତ ଦେଶବ୍ୟାପୀ ୫୩୯ ଚାଇଲ୍ଡ କେୟାର ଇଷ୍ଟିଚ୍ୟୁଟ ବନ୍ଦ କରିଛନ୍ତି ।

ମହିଳା ଏବଂ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଏହି ସିସିଆଇକୁ ମନ୍ତ୍ରାଳୟର ତତ୍ତ୍ୱାବଧାନରେ ଏକ ସୋସିଆଲ ଅଡିଟ ପରେ ଏହି ଇଷ୍ଟିଚ୍ୟୁଟ ଗୁଡ଼ିକୁ ବନ୍ଦ କରାଯାଇଛି । ଅଧିକାରୀ କହିଛନ୍ତି, ଆମେ ଏହି ସିସିଆଇକୁ ବନ୍ଦ କରିଛୁ, ଯେଉଁ ସଂସ୍ଥାଗୁଡ଼ିକରେ ସରକାରୀ ନିୟମ ପାଳନ କରାଯାଉ ନାହିଁ । ସେ କହିଛନ୍ତି କିଛି ସଂସ୍ଥା ବିନା ପଞ୍ଜୀକରଣରେ ପରିଚାଳନା ହେଉଥିଲା ।

କେବଳ ମହାରାଷ୍ଟ୍ରରେ ୩୭୭ ସିସିଆଇ ବନ୍ଦ ହୋଇଛି, ଯାହାକି ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ । ମହାରାଷ୍ଟ୍ର ପରେ ଆନ୍ଧ୍ରପ୍ରଦେଶ (୭୮) ଏହି ମାମଲାରେ ୨ୟ ସ୍ଥାନ ଅଧିକାର କରିଥିବା ବେଳେ ତେଲେଙ୍ଗାନାରେ ୩୨ଟି ସଂସ୍ଥା ବନ୍ଦ ହୋଇଛି । ସେହିଭଳି କର୍ଣ୍ଣାଟକ, ଝାଡଖଣ୍ଡ, ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶରେ ମଧ୍ୟ ବହୁ ସଂଖ୍ୟାରେ ଚାଇଲ୍ଡ କେୟାର ଇଷ୍ଟିଚ୍ୟୁଟ(ସିସିଆଇ) ଗୁଡ଼ିକ ବନ୍ଦ ରଖାଯାଇଛି ।

ମୁଜାଫରପୁର ମାମଲା ଲୋକଲୋଚନକୁ ଆସିବା ପରେ ମହିଳା ଏବଂ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରାଳୟ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିସିଆର) ସମସ୍ତ ‘ସିସିଆଇ’ର ସୋସିଆଲ ଅଡିଟ କରାଇଥିଲେ । ବିନା ପଞ୍ଜୀକରଣରେ ପରିଚାଳିତ ହେଉଥିବା ସିସିଆଇକୁ ୨ ମାସ ମଧ୍ୟରେ ପଞ୍ଜୀକରଣ କରାଯିବାକୁ କୁହାଯାଇଥିଲା । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ସ୍ପେଶାଲାଇଜ ଆଡପାନ ଏଜେନ୍ସି ଏବଂ ସିସିଆଇର ତତ୍ତ୍ୱାବଧାନରେ ଜିଲ୍ଲାସ୍ତରରେ ଏବଂ ରାଜ୍ୟ ସ୍ତରରେ ଶିଶୁ କଲ୍ୟାଣ ସମିତି ଗଠନ କରିବାକୁ କହିଥିଲେ ।