ଭୁବନେଶ୍ୱର : ଜନ୍ମ ହେଉ ହେଉ କରୋନାରେ ସଂକ୍ରମିତ ହେଲେ ଶିଶୁ । ସଂକ୍ରମିତ ଶିଶୁ ଜଣକ ଘର କଳାହାଣ୍ଡିରେ । କରୋନାରେ ସଂକ୍ରମିତ ହୋଇ ଶିଶୁଟି ନିଜ ଜୀବନ ସହ ୨୦ଦିନ ସଂଗ୍ରାମ କରିବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲା । ଡାକ୍ତର ଓ ମେଡିକାଲ୍ ଷ୍ଟାଫ୍ଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଭଗବାନଙ୍କ ଆଶୀର୍ବାଦ ଯୋଗୁ ଏହା ସମ୍ଭବ ହୋଇଛି ବୋଲି ଶିଶୁକୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ସୂଚନାଥାଉ କି, କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଅଞ୍ଚଳର ଜଣେ ପ୍ରସୂତି ଛତିଶଗଡ଼ର ରାୟପୁରରେ ଏକ ମେଡିକାଲ୍ରେ ପ୍ରସବ କରିଥିଲେ। ପ୍ରସବ ପରେ ପୂରା ପରିବାର ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ପୂରା ପରିବାର ଅସୁସ୍ଥ ହୋଇ ପଡ଼ିଥିଲେ। ଆଉ ତା’ପରେ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟରେ ଶିଶୁର ମାଆ, ବାପା, ଜେଜେବାପାଙ୍କ ସମେତ ପୂରା ପରିବାର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ସମସ୍ତଙ୍କୁ ଭବନୀପାଟଣା ସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିବାରର ସମସ୍ତଙ୍କୁ କରୋନା ହୋଇଥିବାରୁ ୧୫ ଦିନର ଶିଶଠାରୁ ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିଲା। ତା’ର ମଧ୍ୟ ପଜିଟିଭ୍ ରିପୋର୍ଟ ଆସିଥିଲା।
ତେବେ ଶିଶୁ, ତା’ ବାପା ଓ ଜେଜେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଶିଶୁଟିକୁ ଅଲଗା ଭାବେ ଚିକିତ୍ସା କରାଯାଇଥିଲା। ଶିଶୁ ଠକ୍ରେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁ ନଥିଲା। ଡାକ୍ତରୀ ଟିମ୍ ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ। ଏଥିସହ ତା’ ଜୀବନ ବଞ୍ଚାଇବା ପାଇଁ ବାପା- ମା’ଙ୍କ ଅନୁମତିରେ ରେମ୍ଡେସିଭାର୍ ଓ ଷ୍ଟେରଏଡ୍ ଦିଆ ଯାଇଥିଲେ।