ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ସିମେଇ ଲସି ।
ଆବଶ୍ୟକୀୟ ସାମଗ୍ରୀ: ସିମେଇ,ଦହି,ବରଫ,ଚିନି, ବିଭିନ୍ନ ପ୍ରକାର କଟା ଫଳ,ରୋଜ ଏସେନ୍ସ,ଡାଏ ଫ୍ରୁଟସ (କିସମିସ,କାଜୁ ଏବଂ ବାଦାମ) ଏବଂ ଆଇସକ୍ରୀମ ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଗ୍ୟାସରେ ପ୍ୟାନ ବସାଇ ସେଥିରେ ପାଣି ଗରମ କରନ୍ତୁ । ଏହା ପରେ ସେଥିରେ କଞ୍ଚା ସିମେଇ ପକାଇ ସିଝାନ୍ତୁ । କିଛି ସମୟ ଫୁଟିଲା ପରେ ସିମେଇ ସିଝିଯିବ । ଏହାପରେ ପାଣିରୁ ଛାଣି ସିମେଇକୁ ଏକ ପାତ୍ରରେ ରଖନ୍ତୁ । ଏହାକୁ ଥଣ୍ଡା ପାଣିରେ କିଛି ସମୟ ଭିଜାଇ ରଖନ୍ତୁ । ଏହାକୁ ଥଣ୍ଡା ପାଣିରେ କିଛି ସମୟ ଭିଜାଇ ରଖନ୍ତୁ । ଏହିପରି କଲେ ସିମେଇ ଲାଗିବ ନାହିଁ । ଏହାପରେ ବସା ଦହି ନେଇ ସେଥିରେ ଆପଣଙ୍କ ଆବଶ୍ୟକ ଅନୁସାରେ ଚିନି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହା ପରେ ରୋଜ ଏସେନ୍ସ ପକାଇ ଆଉ ଥରେ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏଠାରେ ଆପଣ ରୋଜ ସିରପ ମଧ୍ୟ ପକାଇ ପାରିବେ । ଏହା ଆପଣଙ୍କୁ ବଜାରରେ ଅତି ସହଜରେ ମିଳିଯିବ । ଏହାପରେ ଦୁଇଟି ଗ୍ଲାସ ନେଇ ସେଥିରେ ତଳେ ଆପଣ ସିମେଇ ଦିଅନ୍ତୁ । ଏହା ପରେ ସେଥିରେ ଦହି ପକାନ୍ତୁ । ଅଧା ଦହି ପକାଇ ସେଥିରେ କଟା ହୋଇଥିବା ଫଳ ଗୁଡିକୁ ପକାଇ ବରଫ ପକାନ୍ତୁ । ଏହାପରେ ପୁଣି ଦହି ପକାଇ ଗ୍ଲାସ ଫୁଲ କରି ଦିଅନ୍ତୁ । ତା’ପରେ ଆପଣ ଫଳ ଗୁଡିକୁ ସଜାଇଲା ଭଳି ପକାନ୍ତୁ । ଏପରି କଲା ପରେ ସେଥିରେ ନିଜ ପସନ୍ଦ ଅନୁସାରେ ଆଇସକ୍ରୀମ ପକାନ୍ତୁ । ଏହା ପରେ ସେଥିରେ ଡ୍ରାଏ ଫ୍ରୁଟସକୁ ସଜାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସିମେଇ ଲସି ।