(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ମୁକାବିଲା ପାଇଁ ୬ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଦାଇତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସାରା ରାଜ୍ୟ ଲକଡାଉନ ଥିବା ବେଳେ ବିଏମସି ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ଏମାନେ କାର୍ଯ୍ୟ କରିବେ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଥିଲା । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଥିବା ବେଳେ ରାଜଧାନୀ ଭୁବନେଶ୍ୱରରୁ କେବଳ ୪୬ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ରାଜ୍ୟରେ ଅନ୍ୟସ୍ଥାନ ଅପେକ୍ଷା ଭୁବନେଶ୍ୱରରେ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।
ବିଶେଷ କରି ଏହି ଅଧିକାରୀମାନେ ବିଏମସି ଅଞ୍ଚଳରେ କିପରି ସଂକ୍ରମଣ ରୋକାଯାଇପାରିବ ସେହି ପର୍ଯ୍ୟାୟରେ କାମ କରିବେ । ଭୁବନେଶ୍ୱର ମହାନଗର ନିଗମକୁ ତିନୋଟି ଜୋନରେ ବିଭକ୍ତ କରି ୬ଜଣ ବରିଷ୍ଠ ଆଇଏଏସଙ୍କୁ ଦାଇତ୍ୱ ଦିଆଯାଇଛି । ଭୁବନେଶ୍ୱର ଉତ୍ତର ଜୋନ ଦାଇତ୍ୱରେ ଏସସି/ଏସଟି ଉନ୍ନୟନ ସଚିବ ରଞ୍ଜନ ଚୋପ୍ରା ଓ ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କୁ ଦାଇତ୍ୱ ମିଳିଥିବା ବେଳେ ଦକ୍ଷିଣ ପୂର୍ବ ଜୋନ ଦାଇତ୍ୱ ଅବକାରୀ ସଚିବ ସୁଶୀଲ ଲୋହାନୀ ଓ ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କୁ ଦିଆଯାଇଛି । ସେହିଭଳି ଦକ୍ଷିଣ-ପଶ୍ଚିମ ଦାଇତ୍ୱରେ ଭାସ୍କର ଜ୍ୟୋତି ଶର୍ମା ଓ ଅର୍ଥ ସଚିବ ଅଶୋକ ମୀନାଙ୍କୁ ଦାଇତ୍ୱ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ଯେଭଳି ଏହି ସଂକ୍ରମଣ ନ ବ୍ୟାପିବ ସେଥିପାଇଁ ଏହି ବରିଷ୍ଠ ଅଫିସରମାନେ କଣ୍ଟେନମେଣ୍ଟ ଅଞ୍ଚଳର ଦାଇତ୍ୱରେ ରହିବେ । ଯେଉଁ ଅଞ୍ଚଳରେ କୋରୋନା ପଜେଟିଭ ଚିହ୍ନଟ ହେବେ ସେଠାରେ କଣ୍ଟାକ୍ଟ ଟ୍ରେସିଂ ଓ ଘରକୁ ଘର ସର୍ଭେ କାର୍ଯ୍ୟର ତଦାରଖ କରିବେ । ଏହା ସହ କଣ୍ଟେନମେଣ୍ଟ ଅଞ୍ଚଳରେ ଲୋକମାନଙ୍କ ପାଖରେ ଜରୁରୀ ସାଗ୍ରୀ ଯୋଗାଣ କଥା ବି ବୁଝିବା ପାଇଁ ଦାଇତ୍ୱ ଦିଆଯାଇଛି ।