(ରିପୋର୍ଟସଟୁଡେ): କୋରୋନା ଭାଇରସ ଅର୍ଥାତ୍ COVID-19 ଏବେ ବିଶ୍ୱର ୧୩୧ଟି ଦେଶରେ କାୟା ବିସ୍ତାର କରିଚାଲିଛି। କୋରୋନା ମୃତ୍ୟୁସଂଖ୍ୟା ୪ ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି। ଭାରତରେ ଏପର୍ୟ୍ୟନ୍ତ ୮୧ଟି ମାମଲା ଦେଖିବାକୁ ମିଳିଲାଣି। କରୋନା ଯୋଗୁଁ ଦେଶର ଅଧିକାଂଶ ସ୍କୁଲ, କଲେଜ, ସିନେମା ହଲ, ସୁଇମିଂ ପୁଲ, ଜିମ୍ ଇତ୍ୟାଦି ବନ୍ଦ ହୋଇସାରିଛି। ଡଐଙ ଏହାକୁ ମହାମାରୀ ବୋଲି ଘୋଷଣା କରିସାରିଛି। କିନ୍ତୁ ଏଭଳି ଏକ ଦେଶ ଅଛି ଯେଉଁଠାରେ ଏପର୍ୟ୍ୟନ୍ତ କରୋନା ଭାଇରସ୍ ବା (କୋଭିଡ୍-୧୯)ର ଗୋଟିଏ ବି ଘଟଣା ସାମ୍ନାକୁ ଆସିନାହିଁ। କିନ୍ତୁ ଉକ୍ତ ଦେଶ ଏହି ମହାମାରୀଠାରୁ ଦୂରେଇ ରହିବା ସହ ମୁକାବିଲା ପାଇଁ ପୂର୍ବରୁ ଅଣ୍ଟା ଭିଡିଛି। ଏଥିପାଇଁ ଉକ୍ତ ଦେଶରେ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ସଚେତନତାମୂଳକ କାର୍ୟ୍ୟ କରିଛନ୍ତି, ଯାହା ପ୍ରଶଂସାଯୋଗ୍ୟ।
ସୂଚନାଯୋଗ୍ୟ, ମଧ୍ୟ ଆଫ୍ରିକାର ବହୁତ ଛୋଟ ଦେଶ ରଓ୍ଵଣ୍ଡାରେ ଏଯାଏଁ କରୋନା ଭାଇରସ୍ରେ କେହି ସଂକ୍ରମିତ ହୋଇନାହାନ୍ତି। ତେଣୁ ପୂର୍ବରୁ କରୋନା ସହ ମୁକାବିଲା ପାଇଁ ସରକାର ସମସ୍ତ ପଦକ୍ଷେପ ନେବା ସହ ହାତ ଧୋଇବା ପାଇଁ ପ୍ରତିଟି ସ୍ଥାନରେ ‘ଓ୍ଵାଶ ବେସିନ୍’ ଲଗାଇଥିବା ଜଣାପଡ଼ିଛି। ଦେଶର ସମସ୍ତ ସହରର ଫୁଟ୍ପାଥ୍, ବସ୍ ଷ୍ଟାଣ୍ଡ, ରାସ୍ତାକଡ଼, ବ୍ୟାଙ୍କ, ରେଷ୍ଟୁରାଣ୍ଟ ଓ ଦୋକାନ ବାହାରେ ପୋର୍ଟେବଲ୍ ସିଙ୍କ୍ ଲଗାଯାଇଛି।ଯେଉଁଥିରେ ବାହାରେ ଯାତାୟାତ କରୁଥିବା ସମସ୍ତ ଲୋକ ହାତ ଧୋଇପାରିବେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଶସୟାର କରାଯାଇଥିବା ବେଳେ ଏହା ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ରାସ୍ତାରେ ଯାଉଥିବା ପ୍ରତ୍ୟେକ ଲୋକ ଉକ୍ତ ‘ଓ୍ଵାଶ ବେସିନ୍’ରେ ହାତ ଧୋଉଥିବାର ଦେଖିବାକୁ ମିଳିଛି। ଏଠିକାର ସରକାର ଲୋକଙ୍କୁ ବାରମ୍ବାର ହାତ ଧୋଇବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।