ଜାତୀୟ ସାହସିକତା ପୁରସ୍କାର ପାଇଥିବା ୩ ଓଡ଼ିଆ ଝିଅଙ୍କୁ ସମ୍ବନ୍ଧିତ କଲେ ମୁଖ୍ୟମନ୍ତ୍ରୀ

(ସରୋଜ କୁମାର ରାଉତ)ଭୁବନେଶ୍ୱର: ଚଳିତବର୍ଷ ଜାତୀୟ ସାହାସିକତା ପୁରସ୍କାର ପାଇଥିବା ୩ ଓଡ଼ିଆ ଝିଅଙ୍କୁ ସମ୍ବନ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ କେନ୍ଦ୍ରାପଡାର ପୂର୍ଣ୍ଣିମା ଗିରି, ସବିତା ଗିରି ଓ ଅନୁଗୁଳର ଶ୍ରୀମତୀ ବଦ୍ରାଙ୍କୁ ସମ୍ବନ୍ଧିତ କରିଛନ୍ତି । ଏଥି ସହ ସମସ୍ତଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ ସାଧାରଣତନ୍ତ୍ର ଦିବସ ଅବସରରେ ସବିତା ଗିରି ଓ ପୂର୍ଣ୍ଣିମା ଗିରି ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ସାହସୀକତା ପୁରସ୍କାର ଗ୍ରହଣ କରିଛନ୍ତି । କେନ୍ଦ୍ରାପଡାର ନିପାଣିଆ ଘାଟରେ ଏକ ଡଙ୍ଗା ବୁଡି ଘଟଣାରେ ଏହି ଦୁଇ ଜଣ ଛାତ୍ରୀ ଅନେକ ଲୋକଙ୍କ ଜୀବନ ବଞ୍ଚାଇଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ଏହି ଦୁଇ ଭଉଣୀଙ୍କୁ ଲୋକସେବା ଭବନରେ ସମ୍ମାନିତ ମଧ୍ୟ କରିଥିଲେ । ଆଜି ଏ ନେଇ ସମ୍ବନ୍ଧିତ କରିବା ପରେ ସବିତା ଓ ପୂର୍ଣ୍ଣିମା ଖୁସି ବ୍ୟକ୍ତ କରିଛନ୍ତି । ସେମାନେ ପଢୁଥିବା ହାଇସ୍କୁଲରେ ଏକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେ ଏକ କୋଟି ୨୦ ଲକ୍ଷ ଟଙ୍କା ମଧ୍ୟ ଅନୁମୋଦନ କରିଛନ୍ତି । ସାଧାରଣ ସମୟରେ ଏହା ଏକ ସ୍କୁଲ ଭାବରେ କାର୍ୟ୍ୟ କରିବା ସହିତ ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଏକ ଆଶ୍ରୟସ୍ଥଳ ଭାବରେ କାର୍ୟ୍ୟ କରିବ । ଏହାଦ୍ବାରା ସେ ଅଞ୍ଚଳରେ ଜନସାଧାରଣ ଆଶ୍ବସ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ଏହି କାର୍ୟ୍ୟ ଖୁବ ଶୀଘ୍ର ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ଣ୍ଣିମା ଓ ସବିତା ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ଏକ ରେଳ ଦୁର୍ଘଟଣାର ଶିକାର ହୋଇଥିବା ସହପାଠୀଙ୍କୁ ନିଶ୍ଚିତ ମୃତ୍ୟୁରୁ ରକ୍ଷା କରିଥିଲେ ଶ୍ରୀମତୀ ଭଦ୍ରା ।