ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍: ୮ ମୃତ, ୨୦ ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ: ଦେଶରେ ହୋଲିର ମାହୋଲ ମଧ୍ୟରେ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର । କର୍ଣ୍ଣାଟକରେ ଘଟିଛି ଏକ ବଡ ଧରଣର ଦୁର୍ଘଟଣା । ତୁମ୍କୁର ଜିଲ୍ଲାର ପାୱାଗଡା ନିକଟରେ ଥିବା ରାଜପଥରେ ଏକ ଯାତ୍ରୀବାହୀ ବସ୍ ଓଲଟିଯିବାରୁ ୮ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ଏମାନଙ୍କ ମଧ୍ୟରେ କିଛି ଛାତ୍ର ଥିବା ଜଣାପଡିଛି ।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ୬୦ ଜଣରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଯାତ୍ରୀବାହୀ ଗାଡ଼ିଟିର ଡ୍ରାଇଭର ଏହା ଉପରେ ନିୟନ୍ତ୍ରଣ ହରାଇବା ପରେ ଏହି ଦୁର୍ଘଟଣା ଘଟିଥିଲା । ୨୦ ଜଣ ଆହତଙ୍କ ମଧ୍ୟରୁ ଆଠ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ପ୍ରାଥମିକ ଯାଞ୍ଚ ପରେ ଜଣାପଡିଛି ଯେ, ରାଜପଥରେ ଯାଉଥିବାବେଳେ ବସ୍ ନିୟନ୍ତ୍ରଣ ହରାଇଥିଲା । ଫଳରେ ବସ୍ ରାସ୍ତା କଡକୁ ଓଲଟିପଡିଥିଲା । ପୋଲିସର ସୂଚନା ମୁତାବକ, ଆହତଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକ ଓ ଗୁରୁତର ଆହତଙ୍କ ମଧ୍ୟରେ ଏକାଧିକ ଛାତ୍ର ଅଛନ୍ତି ।