( ରିପୋର୍ଟସଟୁଡେ): ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍ ରବିବାର ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଆଗୁଆ ଶୃଙ୍ଖଳା କବଜା କରିସାରିଥିବା ଘରୋଇ ଭାରତୀ ଶେଷ ମ୍ୟାଚ୍ ପାଇଁ ଦଳରୁ ଦୁଇ ପ୍ରମୁଖ ଦ୍ରୁତ ବୋଲର ଉମେଶ ଯାଦବ ଓ ଯଶପ୍ରୀତ୍ ବୁମରାଙ୍କ ସହିତ ଚାଇନାମ୍ୟାନ୍ ସ୍ପିନର କୁଲଦୀପ୍ ଯାଦବଙ୍କୁ ବିଶ୍ରାମ ଦେଇଛି। ଆଗକୁ ଗୁରୁତ୍ବପୂର୍ଣ୍ଣ ଅଷ୍ଟ୍ରେଲିଆ ଗସ୍ତକୁ ଦୃଷ୍ଟିରେ ରଖି ଏହି ୩ ଜଣଙ୍କୁ ବିଶ୍ରାମ ଦିଆଯାଇଥିବା ଦଳୀୟ କର୍ତ୍ତୃପକ୍ଷ କହିଛନ୍ତି।
ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଆସନ୍ତା ୨୧ ତାରିଖରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ବ୍ରିସ୍ବେନରେ ଖେଳିବ। ତେଣୁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଓ ତାଜା ରହିବା ପାଇଁ ତିନି ପ୍ରମୁଖ ବୋଲରଙ୍କୁ ବିଶ୍ରାମ ଦିଆଯିବାର ନିଷ୍ପତ୍ତି ନିଆଯାଇଛି ବୋଲି ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) କାର୍ୟ୍ୟ କାରୀ ସଂପାଦକ ଅମିତାଭ ଚୌଧୁରୀ କହିଛନ୍ତି। ଗତ ଦୁଇଟି ମ୍ୟାଚରେ କୁଲ୍ଦୀପ୍ ମୋଟ ୫ ଓ ବୁମରା ୩ ୱିକେଟ୍ ଅକ୍ତିଆର କରିଥିଲେ।