କୋଭିଡ ନିୟମକୁ ‘ଫୁ’, ୨ଟି ଦୋକାନ ସିଲ୍ କଲା ପ୍ରଶାସନ

ଅନୁଗୁଳ/ ଜ୍ୟୋତିରଞ୍ଜନ ଧର: ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ମୁଖ୍ୟ ବଜାର ଠାରେ ଥିବା ଏକ ଏଲୋପାଥିକ ମେଡିସିନ ଷ୍ଟୋର ଏବଂ ଅନ୍ୟ ଏକ ହୋମିଓପାଥି କ୍ଲିନିକ୍ ପକ୍ଷରୁ କୋଭିଡ କଟକଣା ଗାଇଡ ଲାଇନ ଉଲଂଘନ କରାଯାଇଥିବା ଅଭିଯୋଗ କ୍ରମେ ଛେଣ୍ଡିପଦା ବ୍ଲକ ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ତେବେ କୈାଣସି ସୂତ୍ରରୁ ସୂଚନା ପାଇ ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା , ଅନୁଗୋଳ ଉପ ଜିଲ୍ଲାପାଳ ବାସୁଦେବ ଶତପଥୀ ଏବଂ ଛେଣ୍ଡିପଦା ଥାନା ଅଧିକାରୀ ଜ୍ଞାନ ରଞ୍ଜନ ସାମଲ ପ୍ରମୁଖ ସଦଳବଳେ କୋଶଳା ମୁଖ୍ୟ ବଜାର ପାଖକୁ ସୋମବାର ସନ୍ଧ୍ୟାରେ ପହଞ୍ଚି ଥିଲେ । ତେବେ ସମ୍ପୃକ୍ତ ମେଡିସିନ ଷ୍ଟୋର ଏବଂ ହୋମିଓପାଥିକ କ୍ଲିନିକ୍ ସମ୍ମୁଖରେ ଜନଗହଳି ପରିଲକ୍ଷିତ ହୋଇଥିଲା । ଲୋକମାନେ ସାମାଜିକ ଦୂରତା ବଜାୟ ରଖିନଥିଲେ ଏପରିକି ମାସ୍କ ପରିଧାନ କରିନଥିଲେ , ଏହାସହିତ ସମ୍ପୃକ୍ତ ଷ୍ଟୋର ମାଲିକ ଏବଂ କ୍ଲିନିକ୍ ମାଲିକ ମନୋମୁଖୀ ଭାବେ ନିଜର ବ୍ୟବସାୟ କରିଚାଲିଥିଲେ । ଫଳରେ କୋଭିଡ ନିୟମ ଉଲଘଂନ ଅଭିଯୋଗ କ୍ରମେ ପ୍ରଶାସନ ପକ୍ଷରୁ ଉପରୋକ୍ତ ଦୁଇଟି ସଂସ୍ଥାକୁ ୭ ଦିନ ପର୍ଯ୍ୟନ୍ତ ସିଲ୍ କରାଯାଇଛି ବୋଲି ତହସିଲଦାର ଡାନିଏଲ ଏକ୍କା ମତ ପ୍ରକାଶ କରିଛନ୍ତି ।