ନମାଜ ପାଠ ବେଳେ ବିସ୍ଫୋରଣ: ୧୨ ଜଣଙ୍କ ମୃତ୍ୟୁ

କାବୁଲ: ପବିତ୍ର ରମଜାନ ମାସର ଇଦ ଅବସରରେ ନମାଜ ପାଠ ବେଳେ ମସଜିଦ ଉପରେ ବିସ୍ଫୋରଣ ଘଟି ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ଆଫଗାସ୍ତାନର ରାଜଧାନୀ କାବୁଲରେ ଶୁକ୍ରବାର ହୋଇଛି । ଏହି ଆକ୍ରମଣରେ ୧୫ ଜଣ ଆହତ ହୋଇଛନ୍ତି । ମସଜିର ଇମାମଙ୍କର ଏଥିରେ ମୃତ୍ୟୁ ହୋଇଛି । କୁହାଯାଉଛି, ଇମାମଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି ।
ଏହି ବିସ୍ଫୋରଣ ସେହି ସମୟରେ ଘଟିଛି, ଯେବେ ତାଲିବାନ ଓ ଆଫଗାନିସ୍ତାନ ସରକାର ଇଦ୍ ଉଲ୍ ଫିତରକୁ ଦୃଷ୍ଟିରେ ରଖି ତିନି ଦିନ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଆଫଗାନିସ୍ତାନରେ ରମଜାନ ମାସରେ ଆତଙ୍କୀ ଆକ୍ରମଣରେ ପ୍ରାୟ ୨୫୦ ଜଣଙ୍କ ପ୍ରାଣହାନୀ ଘଟି ସାରିଛି।
ସୂଚନାଯୋଗ୍ୟ, ଆମେରିକା ଚଳିତ ବର୍ଷ ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା ଆଫଗାନିସ୍ତାନରୁ ନିଜର ସମସ୍ତ ସୈନ୍ୟ ପ୍ରତ୍ୟାହାର ଘୋଷଣା କରିଛି। ଆଫଗାନିସ୍ତାନରୁ ପର୍ୟ୍ୟାୟକ୍ରମେ ଆମେରିକା ସୈନ୍ୟଙ୍କ ଅପସାରଣ କରାଯାଉଛି। ଏହି କ୍ରମରେ ଆଫଗାନିସ୍ତାନ ସ୍ଥିତ କନ୍ଧାର ଏୟାରଫିଲ୍ଡକୁ ଆମେରିକା ସୈନ୍ୟ ଛାଡି ଦେଇଛନ୍ତି। ଆଫଗାନିସ୍ତାନରେ ଆମେରିକା ସୈନିକଙ୍କ ଏହା ଦ୍ଵିତୀୟ ସବୁଠୁ ବଡ ବେସ୍ ଥିଲା।