ଭୁବନେଶ୍ୱର ବିମାନବନ୍ଦରରେ ତୃତୀୟ ଟର୍ମିନାଲ୍‌ ଖର୍ଚ୍ଚ ହେବ ହେବ ୯୩୦ କୋଟି ଟଙ୍କା

(ଋିପୋର୍ଟସ ଟୁଡେ) ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦିନକୁ ଦିନ ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାତ୍ରୀ ଅଭିବୃଦ୍ଧି କ୍ଷେତ୍ରରେ ଏହା ଦେଶର ଏକ ନମ୍ବର ବିମାନବନ୍ଦରର ମାନ୍ୟତା ପାଇଛି। ଏହାକୁ ଆଖି ଆଗରେ ରଖି ଭୁବନେଶ୍ୱର ବିମାନବନ୍ଦରରେ ଖୁବ୍‌ଶୀଘ୍ର ତୃତୀୟ ଟର୍ମିନାଲ୍‌ ର୍ନିମାଣ ହେବ। ଏଥିପାଇଁ ୯୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୋମବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ କହିଛନ୍ତି। ସୂଚନା ଅନୁସାରେ, ଟର୍ମିନାଲ-୧ ନିକଟରେ ଟର୍ମିନାଲ-୩ ନିର୍ମାଣ ହେବ। ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ରହିବ। ବର୍ଷକୁ ପ୍ରାୟ ୬୦ଲକ୍ଷ ଯାତ୍ରୀଙ୍କୁ ପରିଚାଳନା କରିବା ଭଳି କ୍ଷମତା ରହିବ। ୨୦୧୯ ଜୁଲାଇ ମାସରୁ ଏହାର ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ। ତେବେ ଟର୍ମିନାଲ-୩ କେବଳ ଡୋମେଷ୍ଟିକ ଏବଂ ଟର୍ମିନାଲ-୧ ଓ ୨ ଅନ୍ତର୍ଜାତୀୟ ବିମାନ ପାଇଁ ବ୍ୟବହାର ହେବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ବର୍ଷକ ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦର ଦେଇ ୩୯.୪ ପ୍ରତିଶତରୁ ଅଧିକ ଯାତ୍ରୀ ଯାତାୟାତ କରିଥାଆନ୍ତି। ଏପରି କି ଭୁବନେଶ୍ୱର ବିମାନବନ୍ଦରର ଯାତ୍ରୀ ଅଭିବୃଦ୍ଧି ହାର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତା ଭଳି ବିମାନବନ୍ଦରଠାରୁ ବହୁ ଅଧିକ ରହିଛି। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ) ପକ୍ଷରୁ ଦେଶର ୧୫ଟି ବ୍ୟସ୍ତବହୁଳ ବିମାନବନ୍ଦର ତାଲିକା ପ୍ରକାଶ ପାଇଛି। ଅଧିକ ଯାତ୍ରୀ ଯାତାୟାତ କରିବାରେ ଦିଲ୍ଲୀ ଏକ ନମ୍ବର ସ୍ଥାନରେ ଥିଲେ ମଧ୍ୟ ଯାତ୍ରୀ ଅଭିବୃଦ୍ଧି ହାରରେ ଭୁବନେଶ୍ୱର ବିମାନବନ୍ଦର ଶୀର୍ଷରେ ରହିଛି।
ଅନ୍ୟପଟେ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଏକ ଖୁସି ଖବର ରହିଛି। ୨୦୧୯ ଜାନୁୟାରୀ ପ୍ରଥମ ସପ୍ତାହରୁ ଝାରସୁଗୁଡ଼ା ବିମାନବନ୍ଦର (ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର)ରୁ ପୁଣି ଥରେ ବିମାନ ସେବା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି। ଗତ ସେପ୍ଟେମ୍ବର ୨୨ରେ ‘ଉଡାନ’ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନ ବନ୍ଦରରୁ ବିମାନ ସେବା ଉଦ୍‌ଘାଟନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ଏହି ସେବା ବନ୍ଦ ହୋଇଥିଲା। ଏ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିବା ସହିତ ଅନେକ ରାଜନୈତିକ ଦଳ ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ।