ପାସେଞ୍ଜର ବଗି ଛାଡି ଅଲଗା ହେଲା ଇଞ୍ଜିନ

(ମଧୁସ୍ମିତା ତ୍ରିପାଠୀ / ରିପୋର୍ଟସ ଟୁଡେ): କଟକ ଜିଲ୍ଲା ଶାଳଗାଁ ଷ୍ଟେସନ ନିକଟରେ ଆଜି ସକାଳେ ଏକ ଏକ୍ସପ୍ରେସ ଟ୍ରେନ ପାସେଞ୍ଜର ବଗିକୁ ଛାଡି ଇଞ୍ଜିନ ଅଲଗା ହୋଇଯାଇଥିବା ବେଳେ ଟ୍ରେନଟି ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଜଣାପଡିଛି । ଏହି ଘଟଣା ଉକ୍ତ ଅଞଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନାନୁସାରେ ପୁରୀରୁ ମୁମ୍ବାଇ ଯାଉଥିବା ଲୋକମାନ୍ୟ ତିଲକ ସୁପରଫାଷ୍ଟ୍ ଏକ୍ସପ୍ରେସ୍‌ ନିର୍ଦ୍ଧାରିତ ସମୟରେ ଆଜି ସକାଳେ କଟକ ଷ୍ଟେସନ୍ ଛାଡ଼ିଥିଲା। ଏହାପରେ ପାଖାପାଖି ୮ଟା ୧୫ ମିନିଟ୍ ସମୟରେ ଏହି ଟ୍ରେନ୍ ଶାଳଗାଁ ଷ୍ଟେସନରେ ପହଞ୍ଚିଥିଲା। ତା’ପରେ ସେଠାରୁ ଲୋକମାନ୍ୟ ତିଲକ ସୁପରଫାଷ୍ଟ୍ ଏକ୍ସପ୍ରେସ୍‌ ଛାଡ଼ିବା ବେଳେ ଭୁଲବଶତଃ ଟ୍ରେନର ଇଞ୍ଜିନ୍ କେବଳ ଗୋଟିଏ ବଗିକୁ ନେଇ ଯାତ୍ରା କରିଥିଲା। କିଛି ମିନିଟ୍ ପରେ ଏହା ଚାଳକ ଜାଣିପାରିଥିଲେ।
ପୁଣି ପାଖାପାଖି ୫ ମିନିଟ୍ ପରେ ଇଞ୍ଜିନ୍ ଫେରି ସମସ୍ତ ବଗିକୁ ଧରି ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା। ଏହାଫଳରେ ଟ୍ରେନର ଯାତ୍ରା ବିଳମ୍ବିତ ହୋଇଥିଲା।