ପୁରୀ : ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିବା ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ତେଣୁ ମହାପ୍ରଭୁଙ୍କ ଉପଶମ ଲାଗି ୧୫ ଦିନ କାଳ ଅଣସର ଘରେ ରହିବେ ଓ ଗାତଙ୍କର ଗୁପ୍ତ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କୁ ସୁସ୍ଥ କରିବା ଲାଗି ବୈଦ୍ୟ ସେବକମାନେ ଚିକିତ୍ସା କରିବେ । ମଙ୍ଗଳବାର ଦୀର୍ଘ ଦୁଇ ବର୍ଷ ପରେ ରତ୍ନବେଦୀରୁ ଓହ୍ଲାଇ ଆସି ମହାପ୍ରଭୁ ସ୍ନାନ ବେଦୀରେ ବିଜେ କରିଥିଲେ । କୋଭିଡ୍ କଟକଣା ଯୋଗୁଁ ଭକ୍ତମାନେ ଦୀର୍ଘ ଦୁଇ ବର୍ଷ ହେଲା ମହାପ୍ରଭୁଙ୍କୁ ସ୍ନାନ ବେଦୀରେ ଦର୍ଶନ କରିପାରିନଥିଲେ । ତେବେ ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ମାନବୀୟ ଲୀଳା ଦେଖିବା ପାଇଁ ବଡଦାଣ୍ଡରେ ଜନସମୁଦ୍ର ସୃଷ୍ଟି ହୋଇଥିଲା । ସ୍ନାନଯାତ୍ରା ଯୋଗୁ ମହାପ୍ରଭୁ ଅଣସର ପିଣ୍ଡିରେ ବିଜେ କରିବା ପରେ ପଟିଦିଅଁ ପୂଜା ପାଇଥିଲେ । ବଡି ଭୋରରୁ ପଟିଦିଅଁ ଓ ଅନ୍ୟ ଦେବାଦେବୀ ଶ୍ରୀମନ୍ଦିରକୁ ବିଜେ କରିବେ । ଅନ୍ୟପଟେ ବାହୁଡା ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ଶ୍ରୀଜୀଉଙ୍କୁ ସୁନାଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହେବ । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିଥିବା ସୁନା ଅଳଙ୍କାର ଆଦି ଦଇତାପତି ସେବକମାନେ ଭଣ୍ଡାରମେକାପଙ୍କ ଜିମା ଦେଇଥାନ୍ତି । ପରେ ଅଣସର ତାଟି ବନ୍ଧା ଯାଇଛି । ଶ୍ରୀଜୀଉଙ୍କ ଅଣସର ନୀତି ୧୫ ଦିନ ଧରି ଚାଲିବ । ଏହି ସମୟରେ ଶ୍ରୀଜୀଉଙ୍କ ବଦଳରେ ପଟିଦିଅଁ ପୂଜା ପାଇବେ । ଶ୍ରୀଜଗନ୍ନାଥଙ୍କ ରୂପରେ ଅନନ୍ତନାରାୟଣ, ବଡ ଠାକୁର ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା ସୁଭଦ୍ରାଙ୍କ ରୂପରେ ମା ଭୁବନେଶ୍ୱରୀ ପୂଜା ପାଇବେ । ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ – କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ପୂଜା ପାଇବେ । ଦଇତା ସେବକମାନେ ଅଣସର ଗୁପ୍ତନୀତି ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବା ସହ ରଥଯାତ୍ରାରେ ବାହାରକୁ ବାହାରିବେ ।