(ଓମ୍ ପ୍ରକାଶ ମିଶ୍ର / ସୂର୍ଯ୍ୟକାନ୍ତ ବେହେରା): ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଓଡିଶା ସିଓଭିଆଇଡି-୧୯ ରେଗୁଲେସନ ୨୦୨୦ ବ୍ୟବସ୍ଥା ଅନୁସାରେ ଜାରି କରାଯାଇଥିବା ଆଦେଶ ଅନୁଯାୟୀ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଅନ୍ୟାଦେଶ ପର୍ୟ୍ୟନ୍ତ ବାତିଲ କରାଯାଇଛି । କରୋନା ଭାଇରସକୁ ନେଇ ଜନ ସଚେତନତା ସୃଷ୍ଟି ଲକ୍ଷ୍ୟରେ ସାରା ଜିଲ୍ଲାରେ ବ୍ୟାପକ ଅଭିଯାନ ନିଆ ଯାଇଥିବାବେଳେ ସହରାଂଚଳଠୁ ଆରମ୍ଭକରି ଗ୍ରାମ ପଂଚାୟତସ୍ତର ଯାଏଁ ସ୍ବଚ୍ଛତା,ପରିଷ୍କାରକୁ ପରିଚ୍ଛନ୍ନତାକୁ ଗୁରୁତ୍ବ ଦେବାସହ ସାମାଜିକ ଉତ୍ସବ ନାଁରେ ଅଧିକ ଜନଗହଳି ନ କରିବା କିମ୍ବା ଭୋଜିଭାତ ନ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । ବିଶେଷକରି ଜିଲ୍ଲାର କୌଣସି ସ୍ଥାନରେ ଯାନିଯାତ୍ରା,ମେଳା ମହୋତ୍ସବ କି ଜିଲ୍ଲାର କୌଣସି ଆଧ୍ୟାତ୍ମିକ ପୀଠ ପର୍ୟ୍ୟଟନସ୍ଥଳୀରେ ଅଧିକ ଜନ ସମାଗମନ କରିବାକୁ ପ୍ରଶାସନିକ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାର ପ୍ରମୁଖ ସହରରେ ଥିବା ମଲ୍,ବ୍ୟବସାୟିକ ପେଣ୍ଠସ୍ଥଳୀ ସବୁକୁ ଆଜିଠୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷେ,ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନିୟମିତ ସଫା ସୁତୁରା ସହ ଚିକିତ୍ସା ସେବାକୁ ତ୍ବାରାନ୍ନିତ କରାଯାଇଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି ।
ସେହିପରି କରୋନା ଭାଇରସରୁ ମାଲକାନଗିରି ଜିଲ୍ଲାକୁ ମୁକ୍ତ ରଖିବା ପାଇଁ ଆଜି ଜିଲ୍ଲାପାଳଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନେତୃତ୍ଵରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଉପ ଜିଲ୍ଲାପାଳ ଏହି ବୈଠକରେ ଯୋଗଦେଇ ଜିଲ୍ଲାରେ କରୋନା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକ ଉପରେ ଆଲୋଚନା କରିଥିଲେ । ଜନଗହଳି ସ୍ଥାନ ଯେପରିକି ସାପ୍ତାହିକ ହାଟ, ମନ୍ଦିର, କୌଣସି ଅନୁଷ୍ଠାନିକ କାର୍ୟ୍ୟକ୍ରମ ଆଦିରେ ଲୋକଙ୍କୁ ସଜାଗ ହୋଇ ରହିବା ସହ ପରସ୍ପରଙ୍କ ଠାରୁ ଅତିକମରେ ୧ ମିଟର ଦୂରତା ରଖିବା ପାଇଁ ଉପଦେଶ ଦେଇଥିଲେ ।