(ମମତା ସାମଲ)ରିପୋର୍ଟସଟୁଡେ: ପୁଣି ଗାଡ଼ି ଚାଳକଙ୍କୁ ଝଟକା । ଗାଡ଼ି ପାଇଁ ଆବଶ୍ୟକ ପଡ଼ୁଥିବା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଆସନ୍ତା ୧୬ ତାରିଖରୁ ମହଙ୍ଗା ହେବ । ଗ୍ରାହକଙ୍କୁ ଏବେ ପୂର୍ବ ନିର୍ଧାରିତ ଦର ଉପରେ ୧୮ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ। ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଏହି ନିୟମ ଲାଗୁ କରାଯିବା ନେଇ ସୂଚନା ମିଳିଛି ।
ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ପାଇଁ ପରିବହନ କମିଶନର୍ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁ ଟେଷ୍ଟିଂ ସେଣ୍ଟର୍ ଜିଏସଟି ପଞ୍ଜୀକୃତ ହୋଇନଥିବ, ସେମାନେ ପିୟୁସି ପ୍ରମାଣପତ୍ର ଦେଇପାରିବେ ନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏହି ନିୟମ ଆସନ୍ତା ୧୬ରୁ ଲାଗୁ ହେବ । ‘ବାହନ’ ପୋର୍ଟାଲରେ ସେମାନେ ଜିଏସଟି ପଞ୍ଜୀକରଣ ବାବଦରେ ସମସ୍ତ ତଥ୍ୟ ଅପଲୋଡ୍ କରିବେ। ଏହି ପ୍ରକ୍ରିୟା ଶେଷ ହୋଇଥିବା ସମ୍ପୃକ୍ତ ଆରଟିଓମାନେ ନିଶ୍ଚିତ ହେବା ପରେ ସେହି କେନ୍ଦ୍ରଗୁଡ଼ିକୁ ଅନୁମତି ପ୍ରଦାନ କରିବେ । ଆରଟିଓଙ୍କ ଅନୁମତି ପାଇବା ପରେ କେନ୍ଦ୍ରଗୁଡ଼ିକ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଯୋଗ୍ୟ ବିବେଚିତ ହେବେ। ପୂର୍ବରୁ ଏନେଇ ସିଟି (ବାଣିଜ୍ୟ କର) ଓ ଜିଏସଟି ଯୁଗ୍ମ କମିଶନର୍ ପରିବହନ ବିଭାଗକୁ ଚିଠି ଲେଖିଥିଲେ।
ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପ୍ରଦାନ କରୁଥିବା କୌଣସି କେନ୍ଦ୍ର ଜିଏସଟି ପ୍ରଦାନ କରୁନଥିବା ଉଲ୍ଲେଖ କରି ଜିଏସଟି ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ନିର୍ଦ୍ଦେଶକୁ ଆଧାର କରି ପରିବହନ କମିସନର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ୧୮ ପ୍ରତିଶତ ଜିଏସଟି ଲାଗୁ ହେବା ପରେ ଦୁଇ ଓ ତିନିଚକିଆ ଯାନ ପାଇଁ ପୂର୍ବରୁ ଧାର୍ୟ୍ୟ ହୋଇଥିବା ୬୦ ଟଙ୍କା ଏବେ ବଢ଼ି ୭୦ ଟଙ୍କା ୮୦ ପଇସା ହୋଇଥିବା ବେଳେ ଛୋଟ ଯାନ ପାଇଁ ଧାର୍ୟ୍ୟ ୧୦୦ ଟଙ୍କା ଏବେ ୧୧୮ଟଙ୍କା ହେବ। ସେହିପରି ଭାରିଯାନ ପାଇଁ ଧାର୍ୟ୍ୟ ୧୫୦ ଟଙ୍କା ବଢ଼ି ୧୭୭ଟଙ୍କା ହେବ ।