ଇଜିପ୍ଟରେ ବଡଧରଣର ଟ୍ରେନ ଦୁର୍ଘଟଣା: ୩୨ ମୃତ

କାଇରୋ: ଶୁକ୍ରବାର ଇଜିପ୍ଟର ସହର ସୋହାଗରେ ୨ି ଟ୍ରେନ ମଧ୍ୟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୩୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୬୬ ଜଣ ଆହତ ହୋଇଛନ୍ତି । ଇଜିପ୍ଟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁଯାୟୀ ଘଟଣାସ୍ଥଳରେ କର୍ତ୍ତୃପକ୍ଷ ପହଞ୍ଚିଯାଇଛନ୍ତି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୩୬ ଆମ୍ବୁଲାନ୍ସକୁ ଘଟଣାସ୍ଥଳକୁ ପଠାଇ ଦିଆଯାଇଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣାରେ ୩୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଧିକାରିକ ସୂତ୍ରରୁ ସୂଚିତ କରାଯାଇଛି । ବ୍ଲୁମବର୍ଗ ଇଜିପ୍ଟିଆନ ମିଡିଆ ସୂତ୍ରରୁ ଖବର ମିଳିଛି ୬୬ ଲୋକ ଆହତ ହୋଇଛନ୍ତି । ସାମାଜିକ ଗଣମାଧ୍ୟମରେ ଟ୍ରେନ ପଟରି ଉପରେ ପଡିଥିବା ଫଟୋ ଭାଇରାଲ ହେବାରେ ଲାଗିଛି । କେତେକ ପିକ୍ଚରରେ ଟ୍ରେନ ପାଣି କେନାଲରେ ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ଯଦିଓ ଟ୍ରେନ ଦୁଇଟି ଦ୍ରୁତ ବେଗରେ ଗତି କରୁ ନ ଥିଲା, କିନ୍ତୁ ଧକ୍କା ହୋଇ ଓଲଟି ପଡିଥିବା ରଏଡର ପକ୍ଷରୁ କୁହାଯାଇଛି । ଇଜିପ୍ଟ ରେଳ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି, ଦ୍ୱିତୀୟ ଟ୍ରେନଟି ପ୍ରଥମ ଟ୍ରେନକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଆଗରେ ଥିବା ଟ୍ରେନ ରେଳ ଧାରଣାରୁ ବାହାରି ଯାଇଥିଲା । ଅନ୍ୟ ଏକ ସୂତ୍ରରୁ ସୂଚନା ମିଳିଛି, ପ୍ରଥମ ଟ୍ରେନରେ କେହି ଜରୁରୀକାଳୀନ ବ୍ରେକଦେବାରୁ ଟ୍ରେନ ଅଟକିଥିଲା । ଫଳରେ ପଛରେ ଆସୁଥିବା ଟ୍ରେନ ଧକ୍କା ଖାଇଥିଲା ।