ଗଞ୍ଜାମ/ ରଜନୀକାନ୍ତ ପାତ୍ର: ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାଙ୍କ ପାଠପଢା ପାଇଁ ବହୁ ପଦକ୍ଷେପ ନେଇ ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସର୍ବ ଶିକ୍ଷା ଅଭିଯାନ ପରେ ଶିକ୍ଷା ଆଇନ ପ୍ରଣୟନ କରି ସବୁ ପିଲାଙ୍କ ପାଠପଢା ବାଧ୍ୟତାମୂଳକ କରାଯାଇଛି । ସରକାର ମଧ୍ୟାହ୍ନ ଭୋଜନ, ପୋଷାକ, ବହି, ଯୋତା ପ୍ରଭୁତି ଯୋଗାଇବା ସହିତ ଦଳିତ ଆଦିବାସୀ ପିଲାଙ୍କୁ ହଷ୍ଟେଲ ବ୍ୟବସ୍ଥା କରି ଶିକ୍ଷା ପାଇଁ ପ୍ରୋତ୍ସାହନ ଯୋଗାଉଛନ୍ତି । ଏସବୁ ସତ୍ତ୍ବେ ବହୁ ପିଲା ସ୍କୁଲ ବାରଣ୍ଡା ମାଡ଼ି ପାରୁନାହାନ୍ତି । ସ୍କୁଲ ଠାରୁ ଗ୍ରାମର ଦୂରତା ଯୋଗୁଁ ଜଙ୍ଗଲ ପଥରେ ପିଲାଙ୍କୁ ନେବା ଆଣିବା ପାଇଁ ଅର୍ଥ ବିନିଯୋଗ କରୁଥିବା ବେଳେ କେତେକ ପିଲା ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ ନକରି ଘରେ ରହୁଛନ୍ତି । ତେବେ ପାତ୍ରପୁର ବ୍ଳକ ଅନ୍ତର୍ଗତ ଆଙ୍କୁଲି ପଞ୍ଚାୟତର ପିଲାଙ୍କ ପାଠ ପଢା ପାଇଁ ପାହାଡ଼ ତଳେ ଥିବା ତାଡକା ସାହି ବିଦ୍ୟାଳୟକୁ ଉନ୍ନତି କରି ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଖୋଲାଯାଇଛି । ଏପରିକି ଅଧିକ ଛାତ୍ରୀ ପଢିବା ପାଇଁ ଶହେ ଜଣ ଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲର ବ୍ୟବସ୍ଥା କରାଯାଇଛି । ହଷ୍ଟେଲ ପିଲା ସହିତ ବିଭିନ୍ନ ଗ୍ରାମର ପିଲା ତାଡ଼କା ସାହି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଛନ୍ତି । ତେବେ ଏହି ବିଦ୍ୟାଳୟରେ ଆଠଟି ଶ୍ରେଣୀରେ ପିଲାଙ୍କ ପାଠ ପଢିବା ପାଇଁ ତିନୋଟି କୋଠରୀ ରହିଛି । ଯାହା ଫଳରେ ପିଲାମାନେ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ପୁରୁଣା କୋଠାରୁ ବର୍ଷା ହେଲେ ପାଣି ପଡ଼ୁଛି । ଫଳରେ ଅଧ୍ୟୟନ ପାଇଁ ଆସୁଥିବା ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।