ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ୧୪ ଜିଲ୍ଲାକୁ ମୋୖସୁମୀ ଛୁଇଁଛି ।

(ଭୁବନେଶ୍ୱର) : ରାଜ୍ୟରେ ୧୪ ଜିଲ୍ଲାକୁ ମୋୖସୁମୀ ଛୁଇଁଛି । ତେବେ ପାଣିପାଗ ବିଭାଗର ପୁର୍ବାନୁଯାୟୀ ରଜ ପରେ ଓଡିଶା ଛୁଇଁଛି ମୋୖସୁମୀ । ଏହାରି ମଧ୍ୟରେ ମାସ ଶେଷ ବେଳକୁ ଓଡ଼ିଶା ନିକଟବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧ରୁ ୭ ତାରିଖ ଭିତରେ ରାଜ୍ୟରେ ଭଲ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ପୂର୍ବାନୁମାନ ଦେଇଛି । କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଇଛି । ସେହିଭଳି ଆସନ୍ତା ୨୪ରୁ ୩୦ ତାରିଖ ଯାଏ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ ବୋଲି ସୂଚନା ମିଳିଛି । ୨୬ ତାରିଖ ଯାଏ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେପଟେ ୨୮ ତାରିଖ ଯାଏ ରାଜ୍ୟରେ ବର୍ଷା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିିଛନ୍ତି । ୨୪ ଓ ୨୫ରେ କାଁ ଭାଁ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଜୁନ୍‌ ମାସରେ ନିଅଣ୍ଟିଆ ବର୍ଷା ରହିବ । ତେବେ ଜୁଲାଇ ପ୍ରଥମ ସପ୍ତାହରେ ସ୍ୱାଭାବିକ ବର୍ଷା ହେବ ବୋଲି ସେ କହିଛନ୍ତି ।