ଭୁବନେଶ୍ୱର: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ ତମ ଜନ୍ମଜୟନ୍ତୀ । ଜନ୍ମଜୟନ୍ତୀ ଅବସରରେ ଉତ୍ସବମୁଖର ହୋଇଛି ମଧୁବାବୁଙ୍କ ଜନ୍ମପୀଠ କଟକ ଜିଲ୍ଲାର ସତ୍ୟଭାମାପୁର । ଆଜି ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ମଧୁବାବୁଙ୍କ ପୀଠରେ ନିର୍ମିତ ହୋଇଥିବା ଏକ ସଂଗ୍ରହାଳୟକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ। ସନ୍ଧ୍ୟା ସାଢ଼େ ୫ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।
ଏହି ସଂଗ୍ରହାଳୟରେ ସ୍ଥାନପାଇବ ମଧୁବାବୁଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସହ ମଧୁବାବୁଙ୍କ ତୈଳଚିତ୍ର । ହେଲେ ଅନ୍ୟ ରାଜ୍ୟର ମହାପୁରୁଷଙ୍କୁ ଯେଭଳି ସମ୍ମାନ ମିଳିଛି ସେଭଳି ସମ୍ମାନ ମଧୁବାବୁଙ୍କୁ ମିଳିପାଇନାହିଁ ବୋଲି ବହୁ ବ୍ୟକ୍ତିବିଶେଷ ମତବ୍ୟକ୍ତ କରିଛନ୍ତି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ନିଜର ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳଙ୍କ ସମେତ ବିଧାୟକ ପ୍ରଶାନ୍ତ ବେହେରା, ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମଧୁବାବୁଙ୍କ ଜନ୍ମ ପୀଠର ଉନ୍ନତୀକରଣ କାମ ରାଜ୍ୟ ସରକାର ହାତକୁ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା ।
ଅନ୍ୟପକ୍ଷରେ ତାଙ୍କ ଜନ୍ମ ମାଟି ସତ୍ୟଭାମାପୁରରୁ ଏକ ଶୋଭାଯାତ୍ରା ଶୈଳବାଳା ମହିଳା ମହାବିଦ୍ୟାଳୟକୁ ଆସି ମଧୁବାବୁଙ୍କ ସ୍ମୃତି ଚାରଣ କରିବାର କାର୍ଯ୍ୟକ୍ରମ ରହିଛି ।
ମଧୁ ବାବୁଙ୍କୁ ଭାରତରତ୍ନ ଦାବିରେ ସତ୍ୟଭାମାପୁର ଏନ୍ତୁଡ଼ିଶାଳରୁ ଦସ୍ତଖତ ସଂଗହ ଅଭିଯାନ ଆଲ ଲୟର୍ସ ଗ୍ରୁପ ଓଡିଶା ପକ୍ଷରୁ ଆରମ୍ଭ କରାଯାଇଛି । ଆଲ ଲୟର୍ସ ଗ୍ରୁପ ଓଡିଶା ପକ୍ଷରୁ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ବହୁ ଆଇନଜୀବୀ ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ ହୋଇଥିଲେ । ପ୍ରକାଶ ଥାଉକି, ମଧୁବାବୁଙ୍କୁ ଭାରତରତ୍ନ ଦାବିରେ ୯ଟି ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି ।