ଆଜି ପବିତ୍ର ଦେବ ଦେବ ମହାଦେବଙ୍କ ପର୍ବ ଜାଗର

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଦେବ ଦେବ ମହାଦେବଙ୍କ ପର୍ବ ଜାଗର । ଏହି ପର୍ବରେ ହର ହର ମହାଦେବଙ୍କୁ ପୂର୍ଜାଚ୍ଚନା କଲେ ସମସ୍ତ ମନ କାମନା ପୂର୍ଣ୍ଣ ହୁଏ ବୋଲି କୁହାଯାଏ । ଏଥିପାଇଁ ସକାଳୁ ସକାଳୁ ହିଁ ଶିବ ମନ୍ଦିରରେ ଭକ୍ତଙ୍କ ଗହଳି ଚହଳି ଲାଗିଲାଣି। ସେହିପରି  ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରକୁ ବେଶ୍ ଆକର୍ଷଣୀୟ ଭାବେ ସଜାଯାଇଛି। ଭୋର ସମୟରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ସରି ଚାଲିଛି ସାହାଣମେଲା ଦର୍ଶନ।

ତେବେ ଭାରତୀୟ ସଂସ୍କୃତିରେ ଏହି ପର୍ବର ଏକ ବିଶେଷ ମହତ୍ତ୍ବ ରହିଛି। ଯେମିତି ବ୍ରତ ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବ୍ରତ, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର, ସେମିତି ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ। ଶିବରାତ୍ରୀ ଶବ୍ଦର ଅର୍ଥ ହେଉଛି – ଶିବଙ୍କର ପ୍ରିୟରାତ୍ରୀ। ଶିବ ହେଉଛନ୍ତି ସକଳ ଶକ୍ତିର ଆଧାର। ଶିବ ପରମାତ୍ମା ପରମ୍‌ବ୍ରହ୍ମ। ଶିବ ଶବ୍ଦର ଅର୍ଥ ମଙ୍ଗଳମୟ । ସେ ହେଉଛନ୍ତି ସକଳ ଜ୍ଞାନ ଓ ପ୍ରଜ୍ଞାର ଅାଧାର। ଭାରତର ବିଭିନ୍ନ ସ୍ଥାନରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ପୀଠରେ ଏହି ପର୍ବ ବେଶ୍‌ ଭକ୍ତି ଓ ଉଲ୍ଲାସର ସହ ପାଳିତ ହୋଇଥାଏ। ଏହା ସହିତ ସମଗ୍ର ଓଡ଼ିଶାର ଶୈବପୀଠରେ, ଏହି ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଶିବରାତ୍ରୀ ପାଳନ କରିଥାନ୍ତି । ଦେବଦେବ ମହାଦେବଙ୍କ ଦ୍ୱାରା ଏଇ ଦିନ ସଂସାର ସୃଷ୍ଟି ହୋଇଥିଲା ବୋଲି ଲୋକେ ବିଶ୍ବାସ କରିଥାନ୍ତି।

ସେହିପରି ରାଜ୍ୟର ପ୍ରମୁଖ ଶୈବପୀଠ ପୁରୀର ଶ୍ରୀଲୋକନାଥ ପୀଠ, ରାଉରକେଲାର ବେଦବ୍ୟାସ, ଆଠଗଡର ଧବଳେଶ୍ବର, ଢେଙ୍କାନାଳର କପିଳାସ, ଆରଡିର ଆଖଣ୍ଡଳମଣି, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବର, ଜଳେଶ୍ବରର ଚନ୍ଦନେଶ୍ବର, ଭୋଗରାଇର ଭୁଷଣ୍ଡେଶ୍ବର, ନୟାଗଡ଼ର ଲଢୁବାବା, କୋରାପୁଟର ଗୁପ୍ତେଶ୍ବର ଭଳି ଶୈବ ପୀଠରେ ମହାଶିବରାତ୍ରୀ ଆଡ଼ମ୍ବରର ସହ ପାଳନ କରାଯାଉଛି । ସମସ୍ତ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି ।