ଭୁବନେଶ୍ବର: ଆଜି ବିଜୁ ଜନତା ଦଳର ରୋପ୍ୟ ଜୟନ୍ତୀ । ଆଜି ୨୫ ପୂରି ୨୬ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ୧୯୯୭ ମସିହା ଡିସେମ୍ବର ୨୬ରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଗଠନ ହୋଇଥିଲା ବିଜୁ ଜନତା ଦଳ ।ରୌପ୍ୟ ଜୟନ୍ତୀ ପାଳନ କରୁଛି ବିଜେଡି । ଏଥିପାଇଁ ପୁରୀ ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରାଯାଇଛି । ଏଥିରେ ଯୋଗ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦିନ ୧୧ଟା ୪୦ରେ ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡ୍ରେ ପହଞ୍ଚିବେ । ଶ୍ରୀକ୍ଷେତ୍ରରେ ଏବର୍ଷ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହେଉଛି । ଏଥିରେ ୪୦ରୁ ୫୦ ହଜାର କର୍ମୀ ଓ ନେତାଙ୍କ ସମାଗମ ହେବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପୁଣି ଥରେ ଦଳୀୟ କର୍ମୀ ଶଙ୍ଖକ୍ଷେତ୍ରରେ ଜନସେବା ପାଇଁ ସଂକଳ୍ପ ନେବେ ।ଶଙ୍ଖକ୍ଷେତ୍ରରେ ୨୦୨୪ ନିର୍ବାଚନ ପାଇଁ ଭିତ୍ତିପ୍ରସ୍ତର ପକାଇବ ବିଜେଡି । ନୂଆବର୍ଷରୁ ନୂଆ ରଣନୀତି ନେଇ କାମ କରିବା ପାଇଁ ଗୁରୁମନ୍ତ୍ର ଦେବେ ନବୀନ ପଟ୍ଟନାୟକ । ଗତ ୨୫ ବର୍ଷ ଧରି ଦଳ କିଭଳି ସଫଳତା ହାସଲ କରିଛି ଓ ଏହି ଧାରା ବଜାୟ ରଖିବା ନେଇ ନେତା ଓ କର୍ମୀଙ୍କୁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ପରାମର୍ଶ ଦେବେ । ୧୯୯୯ ମସିହାର ମହାବାତ୍ୟାର ବିଭିଷୀକା ପରେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି କ୍ଷମତାସୀନ ହୋଇଥିଲା।
ଦିନେ ନିଅଣ୍ଟିଆ ରାଜ୍ୟର ପରିଚୟ ପାଇଥିବା ଓଡ଼ିଶା ଏବେ ଦେଶକୁ ଆହାର ଯୋଗାଉଛି ।ଆଉ ସେଥିପାଇଁ ରାଜ୍ୟବାସୀ ଥରେ ନୁହେଁ ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଆସୁଛନ୍ତି । ଓଡ଼ିଶାବାସୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଦଳର ରୋପ୍ୟ ଜୟନ୍ତୀ ସମାରୋହରେ ରାଜ୍ୟବାସୀଙ୍କ ପାଇଁ କିପରି ଆହୁରି ଅଙ୍ଗୀକାରବଦ୍ଧ ହୋଇ କିପରି କାର୍ଯ୍ୟ କରିବେ ସେନେଇ ଦଳ ସଭାପତି ଗୁରୁମନ୍ତ୍ର ଦେବେ ।୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ୧୦୦ ଜଣ ଦକ୍ଷ ଅଫିସର ଓ ୩ଜଣ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ୱରେ ରହିବେ । ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ପାଇଁ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ରହିବେ ।