କଟକ/ଜଗନ୍ନାଥ ମହାନ୍ତି: କେନ୍ଦ୍ର ସରକାରଙ୍କ କରୋନା ଜନିତ ମୃତ୍ୟୁର ତଥ୍ୟ ଉପରେ ବର୍ଷିଲା ଏସୟୁସିଆଇ । ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ କରୋନାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ ପର୍ୟ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ଯୋଗାଇଦେବା ଓ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ତାଲିକା ତୁରନ୍ତ ସଂଶୋଧନ କରି କରୋନା ଜନିତ ମୃତ ବୋଲି ନାମ ପଞ୍ଜିକୃତ କରିବା ଦାବି କରାଯାଇଛି। ଯେତିକି ଲୋକ ମୃତ୍ୟୁବରଣ କରିଛନ୍ତି ତାଙ୍କର ସଠିକ ତଥ୍ୟ ପ୍ରଦାନ କାହିଁକି କେନ୍ଦ୍ର ସରକାର କରୁନାହାନ୍ତି ବୋଲି ପ୍ରଶ୍ନ କରିଛି। ଏହା ସହ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପରିସରଭୁକ୍ତ ହୋଇନଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା, ସମସ୍ତ ଅଣସଂଗଠିତ ଶ୍ରମିକ ଓ ପ୍ରବାସୀ ଶ୍ରମିକମାନଙ୍କୁ ପଞ୍ଜିକୃତ କରି ସେମାନଙ୍କୁ ଆର୍ଥିକ ସହାୟତା ସହ ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ଦାବିରେ ଏସୟୁସିଆଇ (ସି) ପକ୍ଷରୁ ଆଜି କଟକ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।