ସାତକୋଶିଆ ଅଭୟାରଣ୍ୟରେ ଚାଲିଥିବା ପକ୍ଷୀ ଗଣନା ଶେଷ

ହରଭଙ୍ଗା : ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅର୍ନ୍ତଗତ ସାତକୋଶିଆ ଅଭୟାରଣ୍ୟରେ   ଚାଲିଥିବା ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ପକ୍ଷୀଗଣନା କାର୍ଯ୍ୟରେ ତିନୋଟି ବନଖଣ୍ଡ ଅଧିନରେ ୧୪ଟି ଟିମ ଦ୍ୱାରା କାଠ ଡଙ୍ଗା ସାହାଯ୍ୟରେ ମହାନଦୀ ଏବଂ ଅଭୟାରଣ୍ୟ ମଧ୍ୟରେ ଥିବା ଜଳଚର ପକ୍ଷୀଙ୍କ ଗଣନା କାର୍ଯ୍ୟ ଚାଲିଥିଲା। ଗଣନା କାର୍ଯ୍ୟରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ୦୫ଟି ଟିମ, ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ୦୭ ଟି ଟିମ୍ ଏବଂ ଆଠମଲ୍ଲିକ ବନଖଣ୍ଡ ଅଧିନରେ ୦୨ଟି ଟିମରେ ସମୁଦାୟ ୫୬ ଜଣ କର୍ମଚାରୀ ଗଣନା କାର୍ଯ୍ୟରେ ସାମିଲ ଥିଲେ। କୁଶଙ୍ଗ ରେଞ୍ଜ ପକ୍ଷରୁ ମହାନଦୀର ମାରଡା ଠାରୁ କୁତୁରୀ,ମାରଡା ଠାରୁ ଶୀତଳପାଣି, ଶୀତଳପାଣି ଠାରୁ ହରଭଙ୍ଗା, ହରଭଙ୍ଗା ଠାରୁ ଅଏଡା ,ପଦ୍ମତୋଳା ଏବଂ ଭାବପୁର ଭଳି ଦୁଇଟି ପୋଖରୀରେ ଜଳଚର ପକ୍ଷୀଙ୍କ ବାଏନାକୁଲର ସାହାଯ୍ୟରେ ଗଣନା ଚାଲିଥିଲା। ସେହିପରି ଛାମୁଣ୍ଡିଆ ରେଞ୍ଜର ମହାନଦୀର କୁତୁରୀ ଠାରୁ ବଡମୁଳ ଏବଂ ବଡମୁଳ ଠାରୁ ଛାମୁଣ୍ଡିଆ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିଥିଲା । ୬ଟି ଡିଭିଜନର ଗଣନା ରେକର୍ଡ ହସ୍ତାନ୍ତର ପରେ ନୂଆ ପ୍ରଜାତୀର ପକ୍ଷୀ ଏବଂ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ଜଣାପଡିବ ବୋଲି ରେଞ୍ଜ ଅଫିସର ସଂସାର ବର୍ଗିଆ ସୂଚନା ଦେଇଛନ୍ତି।