ରାଜା ଝିଅଙ୍କ ବାହାଘର

ପୁରୀ: ବାହାଘର ତ ବାହାଘର ସେ ପୁଣି ରାଜା ଝିଅଙ୍କ ବାହାଘର । କେତେ ଖୁସି କେତେ ମଜା ଏହି ବାହାଘରକୁ ନେଇ । ବାଜା, ମହୁରୀ, ତୁରୀରେ ଉଠୁଛି ପଡ଼ୁଛି ରାଜାଙ୍କ ଦରବାର । ମଥାରେ ହାତେ ଓଢ଼ଣୀ ଟାଣି ବେଦୀରେ ବସିବେ ରାଜାଙ୍କ କନ୍ୟାରତ୍ନ । ଆଉ ସାତ ଜନ୍ମର ସାଥୀ କରିବେ ହରିୟାନା ବର୍ଦ୍ଧମାନର ରାଜକୁମାର ଆଦିିତ୍ୟ କେହେରଙ୍କୁ । ଏନେଇ ବର ଘର ବି ପହଁଚି ସାରିଲେଣି ପୁରୀରେ । ହଁ ଆଜ୍ଞା, ଆମେ କହୁଛୁ ପୁରୀ ମହାରାଜା ଗଜପତି ଦିବ୍ୟ ସିଂଦେବଙ୍କର ତୃତୀୟ କନ୍ୟା ରାଜକୁମାରୀ ଦେବେଶୀ ଦେବୀଙ୍କର ବାହାଘର । ଦେଶ ବିଦେଶର ବହୁ ରାଜପରିବାର ଏହି ବିବାହ ଉତ୍ସବରେ ଯୋଗ ଦେଇଛନ୍ତି । ଏନେଇ ରାଜପରିବାର ପକ୍ଷରୁ ବିବାହ ପାଇଁ ବ୍ୟ।।ପକ ଅୟୋଜନ କରାଯାଇଛି । ଗତକାଲି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରି ଆର୍ଶିବାଦ ନେବାପରେ ଆଜି ଶୁଭ କାମ ଆରମ୍ଭ ହୋଇଛି ।
ଏହା ଗଜପତି ମହରାଜାଙ୍କ ଶେଷ ପାରିବାରିକ ଉତ୍ସବ । ମାତ୍ର କୋଭିଡ୍ ପାଇଁ ଆଡମ୍ବରରେ ବିବାହ ଉତ୍ସବ ପାଳନ କରାଯାଉନାହିଁ । ଭୁବନେଶ୍ୱରର ଏକ ତାରକା ହୋଟେଲରେ ବିବାହ ଭୋଜି ଅନୁଷ୍ଠିତ ହେଉଛି । ରାଜନଅରରେ ଶ୍ରୀ ମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନର କମିଟି ସଦସ୍ୟ, ବରିଷ୍ଠ ସଦସ୍ୟଙ୍କୁୁ ଭୋଜନ ପାଇଁ ନିମନ୍ତ୍ରଣ ବି କରାଯାଇଛି । ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା କରାଯାଇଛି ।