ଭୁବନେଶ୍ୱର : ରାଜ୍ୟରେ ତାତି ଅସମ୍ଭାଳ । ଡହ ଡହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ । ଏହାକୁ ନଜର ରଖି ମୁଖ୍ୟମନ୍ତ୍ରୀ ନେଇଛନ୍ତି ଇଙ୍ଗ ନିଷ୍ପତ୍ତି । ଆସନ୍ତା କାଲିଠୁ ରାଜ୍ୟରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଆଗୁଆ ଖରା ଛୁଟି ଘୋଷଣା କଲେ ସରକାର । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଛୁଟି ଘୋଷଣା କରିଛନ୍ତି ସରକାର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରୀଷ୍ମକାଳୀନ ଛୁଟି କେତେ ଦିନ ରହିବ ଖୁବଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ଖରା ବଢୁଥିବାରୁ ପୂର୍ବରୁ ୨ ଦିନ ଯାଏ ସ୍କୁଲ ଛୁଟି କରାଯାଇଥିଲା ।
ଏହି ନିର୍ଦ୍ଦେଶ ଅନୁଯାୟୀ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡୀ କେନ୍ଦ୍ର ବନ୍ଦ ରହିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ସ୍କୁଲ ଗୁଡିକ ଖୋଲାଯିବ। ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟାଧିକ ବୃଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି। ରାଜ୍ୟର କେତେକ ସହରର ତାପମାତ୍ରା ଦେଶର ସର୍ବାଧିକ ତାପମାତ୍ରା ରହୁଥିବା ସହରମାନଙ୍କ ତାଲିକାରେ ରହୁଛି । ତେଣୁ ପିଲାମାନଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।