(ରଜନୀ କାନ୍ତ ପାତ୍ର / ହିଞିଳି) : ଦିନକୁ ଦିନ ସଂକ୍ରମଣ ହାର ବଢ଼ିଚାଲିଥିବା ବେଳେ କମିବାର ନାଁ ଧରୁନି ।ତେଣୁ ସରକାର ତାଲାବନ୍ଦ ଅବଧି ଜୁନ୍ ୧ ଯାଏଁ ଘୋଷଣା କଲେ ।ଏଥି ସହ ବାହାଘର ଭୋଜି ନିମନ୍ତେ ୫୦ ଜଣଙ୍କୁ ପୂର୍ବରୁ ଅନୁମତି ଦିଆଯାଉଥିବା ବେଳେ ବର୍ତ୍ତମାନ ତାହା କେବଳ ୨୫ ଜଣଙ୍କୁ ନେଇ ଆୟୋଜନ କରିବେ ବୋଲି ନିର୍ଦ୍ଦେଶ ଦେଲେ ।ଭୋଜି ଆୟୋଜନକାରୀଙ୍କ ରିପୋର୍ଟ ନେଗେଟିଭ ଆସିଲେ ହିଁ ବାହାଘର ସମାପନ ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ଚରମ ବାଣୀ ଶୁଣାଇଥିଲା। କେବଳ ପାର୍ସଲ ଦେଇ ବାହାରୁ ବାହାରୁ ଛାଡ଼ିବାକୁ କଡ଼ା ନିର୍ଦ୍ଦେଶ ହୋଇଛି ।ବ୍ରତ ଓ ଅନ୍ତେଷ୍ଟିକ୍ରିୟା ଭୋଜି ଆୟୋଜନ ପାଇଁ ମାତ୍ର ୨୦ଜଣ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ତରଫରୁ ଅନୁମତି ଦିଆଯାଉଥିବା ବେଳେ ହିଂଜିଳିରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।ମଙ୍ଗଳବାର ପୂର୍ବାହ୍ନରେ ବାଦି ଆମ୍ବ ଗ୍ରାମରେ କୋଭିଡ଼ ନିୟମକୁ ଜଳାଞ୍ଜଳି ଦେଇ ଶୁଦ୍ଧିକ୍ରିୟା ଭୋଜି ଆୟୋଜନ ବେଳେ ପୋଲିସ ପ୍ରଶାସନ ପହଞ୍ଚି ଭୋଜି ବନ୍ଦ କରିବା ସହ ଆୟୋଜକକାରୀଙ୍କ ଠାରୁ ୩ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲା ।ଠିକ ସେହିଭଳି ହିଂଜିଳି ବ୍ଲକ ଖଣ୍ଡରା ଗ୍ରାମରେ ଅନ୍ତେଷ୍ଟି କ୍ରିୟା ଭୋଜି ନିମନ୍ତେ ମଝି ଦାଣ୍ଡରେ ଲୋକେ ଖାଇ ବସିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ହିଂଜିଳି ଥାନାଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଏସଆଇ ବାସୁଦେବ ଭୋଇଙ୍କ ସହ ପୋଲିସଟିମ ପହଞ୍ଚି ଭୋଜି ବନ୍ଦ କରିବା ସହ ଜବତ ଖାଦ୍ୟକୁ ଘରେ ଘରେ ବାଣ୍ଟିଥିଲା।ଏଥି ସହ ୫ ହଜାର ଜୋରିମାନା ଆଦାୟ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ ।ତେବେ ବୁଧବାର ପୁଣି ବି.ନୂଆଁଗଡ଼ ଓ ଗୋଦରାପଲ୍ଲୀ ଗ୍ରାମରେ ବାହାଘର ଭୋଜି ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଥାନାଧିକାରୀ ଅଭିମନ୍ୟୁ ଦାସ, କାର୍ୟ୍ୟନିବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ ଓ ତହସିଲଦାର ପ୍ରଭାତ କୁମାର ପରିଡା ପହଞ୍ଚି ଭୋଜି ବନ୍ଦ କରିବା ସହ ଜବତ ଖାଦ୍ୟକୁ ଘରେ ଘରେ ବାଣ୍ଟିଥିଲେ ।ଏଥି ସହ ୮ ହଜାର ଜୋରିମାନା ଆଦାୟ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ ।