ଭାରତୀୟ ମହିଳା ହକି ଦଳ ପାଇଁ ନଭେମ୍ବର ୨୪ ପାଲଟିଛି ସ୍ମରଣୀୟ ଦିନ। ଗୋଟିଏ ପଟେ ଏଫଆଇଏଚ୍ ବିଶ୍ୱ ରାଙ୍କିଂରେ ପ୍ରଥମ ଥର ପାଇଁ ପଞ୍ଚମ ସ୍ଥାନ ହାସଲ କରିଛି ଦଳ। ଅନ୍ୟପଟେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଦମଦାର ବିଜୟ ସହ ନିଜର ଦବଦବା ଜାହିର କରିଛି।

ଏଫଆଇଏଚ୍ ପକ୍ଷରୁ ପ୍ରକାଶିତ ସଦ୍ୟତମ ବିଶ୍ୱ ରାଙ୍କିଂରେ ଭାରତୀୟ ମହିଳା ଦଳ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୦୩ରେ ବିଶ୍ୱ ରାଙ୍କିଂ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଏହା ଭାରତର ସର୍ବଶ୍ରେଷ୍ଠ ସ୍ଥାନ। ଏହାପୂର୍ବରୁ ୨୦୨୨ରେ ପ୍ରୋ ଲିଗ୍ରେ ଚମତ୍କାର ପ୍ରଦର୍ଶନ କରି ଦଳ ଷଷ୍ଠ ସ୍ଥାନରେ ପହଞ୍ଚିଥିଲା। ଟୋକିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ହାସଲ ପରେ ମଧ୍ୟ ଦଳ ରାଙ୍କିଂରେ ଅଷ୍ଟମ ସ୍ଥାନକୁ ଖସିଥିଲା।
ସେପଟେ ଭୋପାଳରେ ଚାଲିଥିବା ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତର ବିଜୟ ଅଭିଯାନ ଜାରି ରହିଛି। ମଙ୍ଗଳବାର ରାଉଣ୍ଡ ରବିନ୍ ମୁକାବିଲାରେ ଭାରତୀୟ ଦଳ ଚୀନ୍କୁ ୬-୨ ଗୋଲ୍ରେ ପରାସ୍ତ କରିଛି। ଏହା ସହ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି ଦଳ। ସବୁଠାରୁ ବଡ଼ କଥା ହେଉଛି, ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଚୀନ୍ ବିପକ୍ଷରେ ଏହା ଭାରତର ସବୁଠାରୁ ବଡ଼ ବିଜୟ। ଏହା ପୂର୍ବରୁ ୨୦୧୩ରେ ଭାରତ ଚୀନ୍କୁ ୪-୨ ଗୋଲ୍ରେ ପରାସ୍ତ କରିଥିଲା। ତେବେ ବିଶ୍ୱ ରାଙ୍କିଂରେ ଐତିହାସିକ ଉନ୍ନତି ଏବଂ ମଇଦାନରେ ଲଗାତାର ବିଜୟ। ଭାରତୀୟ ମହିଳା ହକି ଦଳର ଏହି ଡବଲ୍ ସଫଳତା ଦେଶର ହକି ଜଗତ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଖୁସି ଖବର।