ପୂର୍ବଜଙ୍କ ସ୍ୱପ୍ନରେ ଆଜି ପଡ଼ିଲା ମୂଳଦୁଆ, ଏକତାର ଶକ୍ତିରେ ଗଢ଼ିବ ବଢ଼ାଦେଓଙ୍କ ଗୁଡ଼ି

ଦୀର୍ଘ ବର୍ଷର ସ୍ୱପ୍ନ, ପୂର୍ବପୁରୁଷଙ୍କ ଆଶା ଓ ସମାଜର ଅକ୍ଳାନ୍ତ ପ୍ରୟାସକୁ ଆଜି ମିଳିଛି ଏକ ନୂଆ ଦିଗ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପତ୍ରକୋଟିଠାରେ ଗୋଣ୍ଡୱାନା ଜନଜାତି ସମାଜର ଇଷ୍ଟଦେବତା ବଢ଼ାଦେଓଙ୍କ ଗୁଡ଼ି ନିର୍ମାଣ ନିମନ୍ତେ ଆଜି ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଏହା କେବଳ ଏକ ଭୂମିପୂଜନ ନୁହେଁ, ବରଂ ଗୋଣ୍ଡୱାନା ସମାଜର ଏକତା, ପରମ୍ପରା, ସଂସ୍କୃତି ଓ ଆସ୍ଥାର ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ। ଯେଉଁ ସ୍ୱପ୍ନକୁ ପୂର୍ବଜମାନେ ଦୀର୍ଘ ଦିନ ଧରି ମନରେ ଧରି ରଖିଥିଲେ, ତାହା ଆଜି ବାସ୍ତବ ରୂପ ନେବାକୁ ଯାଉଛି। ଏହି ମହତ୍ କାର୍ଯ୍ୟକୁ ସାକାର କରିବା ପାଇଁ ଗୋଣ୍ଡୱାନା ସମାଜର ପ୍ରତ୍ୟେକ ପରିବାର ନିଜ ନିଜ ସାଧ୍ୟ ଅନୁସାରେ ସହାୟତା ରାଶି ପ୍ରଦାନ କରି ସାମୂହିକ ସହଯୋଗର ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ଗୋଣ୍ଡୱାନା ସମାଜର ସଭାପତି ମଣିରାମ ଗଣ୍ଡ, ସମ୍ପାଦକ ପଗନୁରାମ ଗଣ୍ଡ, ପୂର୍ବତନ ବିଧାୟକ ସୁବାଷ ଗଣ୍ଡଙ୍କ ସମେତ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସଦସ୍ୟ ଉପସ୍ଥିତ ଥିଲେ।ବଢ଼ାଦେଓଙ୍କ ଏହି ପବିତ୍ର ଗୁଡ଼ି ଆଗାମୀ ପିଢ଼ି ପାଇଁ କେବଳ ଏକ ଧାର୍ମିକ ସ୍ଥଳ ହୋଇ ରହିବ ନାହିଁ, ବରଂ ନିଜ ଜାତିର ଇତିହାସ, ପରମ୍ପରା ଓ ସଂସ୍କୃତିକୁ ଜାଣିବା ସହ ଏକତାର ସୂତ୍ରରେ ବାନ୍ଧି ରଖିବାର ଏକ ପବିତ୍ର କେନ୍ଦ୍ର ହେବ ବୋଲି ସମାଜରେ ଆଶା ପ୍ରକାଶ ପାଇଛି। ପୂର୍ବଜଙ୍କ ସ୍ୱପ୍ନକୁ ସମ୍ମାନ, ନିଜ ସଂସ୍କୃତିକୁ ସୁରକ୍ଷା ଓ ଆଗାମୀ ପିଢ଼ିକୁ ନିଜ ପରିଚୟର ଉପହାର ରାଇଘରର ଏହି ପଦକ୍ଷେପ ଗୋଣ୍ଡୱାନା ସମାଜ ପାଇଁ ନିଶ୍ଚିତ ଏକ ସ୍ମରଣୀୟ ଦିନ ହୋଇ ରହିବ।