ଶ୍ୱଶୁର ଘର ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପ୍ରଭାସିନୀଙ୍କ ପରିବାର

ଗତ ନଭେମ୍ବର ୨୦ ତାରିଖ ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଳା ପୁରୁଷୋତ୍ତମପୁର ଥାନାର ନିଜ ପୋଲିସ କ୍ୱାର୍ଟରରେ ମହିଳା ଏସଆଇ ପ୍ରଭାସିନୀ ସାହୁ ମହିଳା ଏସଆଇଙ୍କ ଶରୀର ଉଦ୍ଧାର ହେବା ଘଟଣାରେ ନୂଆ ମୋଡ଼ ! ଗୋଟିଏ ପଟେ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମୃତ ପ୍ରଭାସିନୀଙ୍କ ପରିବାର ଲୋକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି, ଝିଅର ମୃତ୍ୟୁ ପାଇଁ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କୁ ଦାୟୀ କରି ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଛନ୍ତି ପ୍ରଭାସିନୀଙ୍କ ବାପା ଭୀମସେନ ସାହୁ । ମାନସିକ ନିର୍ୟାତନା ସହି ନପାରି ପ୍ରଭାସିନୀ ଏଭଳି ପଦକ୍ଷେପ ନେଇଥିବା ଏତଲାରେ ଦର୍ଶାଯାଇଛି । ଏକ ଲିଖିତ ଅଭିଯୋଗରେ ଭୀମସେନ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ଚାକିରିରୁ ଇସ୍ତଫା ଦେବାକୁ ଚାହୁଁଥିଲେ କିନ୍ତୁ ଚାକିରି ନ ଛାଡିବା ପାଇଁ ତାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଶାଶୁଙ୍କ ଚାପ ପକାଉଥିଲେ । ଅଭିଯୋଗର ଉପଯୁକ୍ତ ତଦନ୍ତ ଏବଂ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅନ୍ୟପଟେ ଶ୍ୱଶୁର ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି । ଥାନାରେ ପୋକ୍ସୋ ମାମଲାରେ ଚାପ ଯୋଗୁଁ ପ୍ରଭାସିନୀ ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ଶ୍ୱଶୁର । ତେବେ ଏହାକୁ ଖଣ୍ଡନ କରିଛନ୍ତି ଏସଡିପିଓ ସୁଜିତ୍ କୁମାର ନାୟକ । ଏବେ ଦୁଇ ପକ୍ଷର ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୨୧ରେ ପ୍ରଭାସିନୀଙ୍କୁ ତାଙ୍କ ସରକାରୀ କ୍ୱାର୍ଟର୍ସ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତ୍ୟୁ ସମୟରେ ସେ ଦୁଇ ମାସର ଗର୍ଭବତୀ ଥିଲେ ବୋଲି ଜଣାପଡ଼ିଛି । ସେ ପୁରୁଷୋତ୍ତମପୁର ପୋଲିସ ଷ୍ଟେସନ ପରିସରରେ ଥିବା କ୍ୱାର୍ଟର୍ସରେ ଏକା ରହୁଥିଲେ । ରେଳବାଇରେ କାମ କରୁଥିବା ତାଙ୍କ ସ୍ୱାମୀଙ୍କ ରାଉରକେଲାରେ ରୁହନ୍ତି । ତାଙ୍କ ମୃତ୍ୟୁର ପ୍ରକୃତ ପରିସ୍ଥିତି ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।