ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ହକି ଦଳର ଦମଦାର ପ୍ରଦର୍ଶନ । ଘରୋଇ ଦଳକୁ ପଛରେ ପକାଇ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୧-୦ରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଶେଷ ମ୍ୟାଚ୍ରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ମୁକାବିଲା ୨-୨ ଗୋଲ୍ରେ ଡ୍ର ରହିଥିଲା । ତେବେ ପ୍ରଥମ ମ୍ୟାଚ୍ରେ ବିଜୟ ଏବଂ ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ଡ୍ର ହାସଲ କରି ଭାରତ ସିରିଜ୍ ନିଜ ନାଁରେ କରିଛି ।
ରବିବାର ଅକ୍ଲାଣ୍ଡର ଲୟଡ୍ ଏଲ୍ଜମୋର ହକି ଷ୍ଟାଡିୟମ୍ରେ ଖେଳାଯାଇଥିଲା ସିରିଜ୍ର ଶେଷ ମୁକାବିଲା । ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଦେଖାଇଥିବା ନ୍ୟୁଜିଲାଣ୍ଡ ନବମ ମିନିଟ୍ରେ ପେନାଲ୍ଟି କର୍ଣ୍ଣରରୁ ଥୋମାସ ଡିଲାନ୍ଙ୍କ ଗୋଲ୍ ବଳରେ ୧-୦ରେ ଆଗୁଆ ହୋଇଥିଲା । କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ଭାରତ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା ।
୧୬ତମ ମିନିଟ୍ରେ ସଞ୍ଜୟ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇ ସ୍କୋରକୁ ୧-୧ କରିଥିଲେ । ଏହାର ଦୁଇ ମିନିଟ୍ ପରେ ସେଲଭାମ କାର୍ତ୍ତିଙ୍କ ଚମତ୍କାର ଫିଲ୍ଡ ଗୋଲ୍ ଭାରତକୁ ୨-୧ରେ ଅଗ୍ରଣୀ କରାଇଥିଲା ।
ତୃତୀୟ କ୍ୱାର୍ଟରରେ ଗୋଲ୍ ପାଇଁ ଉଭୟ ଦଳ ଜୋରଦାର ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଶେଷ କ୍ୱାର୍ଟରର ୫୫ତମ ମିନିଟ୍ରେ ବେଞ୍ଜି କୁଲହାନେ ଗୋଲ୍ ଦେଇ ନ୍ୟୁଜିଲାଣ୍ଡକୁ ୨-୨ରେ ସମାନ ସ୍ଥିତିକୁ ଫେରାଇ ଆଣିଥିଲେ । ଶେଷ ପର୍ଯ୍ୟନ୍ତ ସ୍କୋର ବଦଳି ନଥିବାରୁ ମ୍ୟାଚ୍ ଡ୍ର ରହିଥିଲା ।
ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ୩-୨ରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ୨-୨ରେ ଡ୍ର ରହିଥିଲା । ଶେଷ ମ୍ୟାଚ୍ ମଧ୍ୟ ଡ୍ର ହେବା ସହ ଭାରତ ଗୋଟିଏ ବିଜୟ ଓ ଦୁଇଟି ଡ୍ର ସହ ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରିଛି ।