ଆଇପିଏଲ୍ ମିନି ଅକ୍ସନରେ ବୀରେନ୍ଦ୍ର ସେହୱାଗଙ୍କ ପୁଅ, ତାଲିକାରେ ବେନ୍ ଷ୍ଟୋକ୍ସଙ୍କ ସମେତ ଅନେକ ଷ୍ଟାର ଖେଳାଳି

ଆଇପିଏଲ୍‌ ମିନି ଅକ୍ସନକୁ ନେଇ କ୍ରିକେଟ୍‌ ମହଲରେ ଉତ୍ସାହ ବଢ଼ିବାରେ ଲାଗିଛି । ଡିସେମ୍ବର ୧୬ରେ ଗୋଆରେ ହେବାକୁ ଥିବା ଏହି ନିଲାମ ପାଇଁ ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ୧୦ଟି ଫ୍ରାଞ୍ଚାଇଜ୍‌କୁ ପଠାଯାଇଛି । ଏହି ତାଲିକାରେ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ନାଁ ରହିବା ସହ ଭାରତର କିଛି ଉଦୀୟମାନ ଯୁବ କ୍ରିକେଟରଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି ।

ବିଶେଷ କରି ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗଙ୍କ ନାଁ ନିଲାମ ତାଲିକାରେ ସାମିଲ ହେବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ୧୯ ବର୍ଷୀୟ ଆର୍ଯ୍ୟବୀର ଅଣ୍ଡର-୧୯ ଏସିଆ କପ୍‌ରେ ନିଜର ବ୍ୟାଟିଂ ପ୍ରତିଭା ଦେଖାଇଥିଲେ । ପ୍ରତିଯୋଗିତାରେ ୩୬୧ ରନ୍‌ ସଂଗ୍ରହ କରି ସର୍ବାଧିକ ରନ୍‌ ସ୍କୋରର ହୋଇଥିବା ବେଳେ ପାକିସ୍ତାନ ବିପକ୍ଷ ଫାଇନାଲରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଥିଲା । ନିଲାମରେ ତାଙ୍କର ମୂଳ ମୂଲ୍ୟ ୩୦ ଲକ୍ଷ ଟଙ୍କା ରହିଛି ।

ସେହିପରି ଅଣ୍ଡର-୧୯ ଏସିଆ କପ୍‌ରେ ନିଜ ପ୍ରଦର୍ଶନ ବଳରେ ଚର୍ଚ୍ଚାକୁ ଆସିଥିବା ମୋହିତ ଉଲଭା ମଧ୍ୟ ଆଇପିଏଲ୍‌ ନିଲାମରେ ସାମିଲ ହୋଇଛନ୍ତି । ଫାଇନାଲ ମୁକାବିଲାରେ ଭାରତ ୮ଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ସମୟରେ ମନଲ ଚୌହାନଙ୍କ ସହ ମିଶି ଦଳର ଇନିଂସକୁ ସମ୍ଭାଳିଥିଲେ ମୋହିତ । ତାଙ୍କର ଏହି ପ୍ରଦର୍ଶନ ତାଙ୍କୁ ନିଲାମ ତାଲିକାରେ ସ୍ଥାନ ଦେଇଛି ।

ଅନ୍ୟପକ୍ଷରେ କିଛି ପରିଚିତ ଯୁବ କ୍ରିକେଟର ଏଥର ନିଲାମରୁ ଦୂରେଇ ରହିଛନ୍ତି । ରାହୁଲ ଦ୍ରାବିଡଙ୍କ ପୁଅ ତଥା ୱିକେଟକିପର ଅନଭୟ ଦ୍ରାବିଡ, ଅଣ୍ଡର-୧୯ ଦଳର ଅଧିନାୟକ ଲକ୍ଷେୟ ରାଇଚନ୍ଦାନୀ ଏବଂ ସ୍ପିନ୍‌ ଅଲରାଉଣ୍ଡର ମନଲ ଚୌହାନ ନିଲାମ ପାଇଁ ନାମ ପଞ୍ଜୀକରଣ କରିନାହାନ୍ତି ।

ଏବେ ନିଲାମର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ କେଉଁ ଖେଳାଳିଙ୍କ ଉପରେ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଅଧିକ ଟଙ୍କା ଖର୍ଚ୍ଚ କରିବେ ଏବଂ କେଉଁ ଯୁବ ପ୍ରତିଭାଙ୍କୁ ଆଇପିଏଲ୍‌ରେ ସୁଯୋଗ ମିଳିବ, ତାହା ଉପରେ ଏବେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିଛି ।