ଟାଟା ଏସିଇ ଓଲଟି ୨୦ମହିଳା ଶ୍ରମିକ ଆହତ

ହିଞ୍ଜିଳି/ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତରାପୁର ପଞ୍ଚାୟତ ଗୋପୀନାଥପୁର ଛକ ନିକଟରେ ଟାଟା ଏସିଇ ଗାଡି ଓଲଟି ୨୦ ମହିଳା ଶ୍ରମିକ ଆହତ । ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ଧାନରୁଆ ପାଇଁ ପ୍ରାୟ ୩୦ରୁ ଊଦ୍ଧ୍ୱର୍ ମହିଳାଙ୍କୁ ନେଇ ଯାଉଥିବା ଏକ ଟାଟା ଏସିଇ ଗାଡି ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜରଡ଼ା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ କୁମାରୀ ପ୍ରଧାନ, କୁରୀ ପ୍ରଧାନ ଓ ରୂପା ପ୍ରଧାନ ଆଦି ୩ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି । ଅନ୍ୟ କିଛି ଆହତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଯାଇଛି । ଯୁବନେତା ସଚିନ ପ୍ରଧାନ, ଆଲୋକ ପ୍ରଧାନ, ଦେବେନ୍ଦ୍ର ପ୍ରଧାନ, ସରପଞ୍ଚ ପ୍ରସନ୍ନ ପ୍ରଧାନ ଓ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ମୀନକେତନ ବେହେରା ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କୁ ପାତ୍ରପୁର ଓ ବ୍ରହ୍ମପୁର ପଠାଇଥିଲେ । ଗତ ୧୪ ତାରିଖରେ ଘର ଛାତ ପକାଇବା ପରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟାଟା ଏସିଇ ଗାଡି ପାତ୍ରପୁର ବ୍ଲକର ତାଳପଡା ନିକଟରେ ଓଲଟି ୨୦ରୁ ଉଦ୍ଧ୍ୱର୍ ଶ୍ରମିକ ଆହତ ହୋଇଥିଲେ ।