ଲଖିମପୁର ଖେରୀ ହିଂସାକାଣ୍ଡ ଘଟଣା: ଆଶିଷ ମିଶ୍ରାଙ୍କ ଜାମିନ ରଦ୍ଦ

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସାକାଣ୍ଡ ଘଟଣାରେ ମନ୍ତ୍ରୀଙ୍କ ପୁଅର ଜାମିନ ରଦ୍ଦ । ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷ ମିଶ୍ରାଙ୍କ ଜାମିନ ରଦ୍ଦ କରାଯାଇଛି ଯାହାଫଳରେ ତାଙ୍କୁ ପୁଣିଥରେ ଜେଲ ଯିବାକୁ ପଡିବ । ଆଶିଷଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମ କୋର୍ଟ । ଏହାସହ ଆତ୍ମସମର୍ପଣ ପାଇଁ ତାଙ୍କୁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟ ସୋମବାର ଦିନ ଆହ୍ଲାବାଦ ହାଇକୋର୍ଟଙ୍କ ପ୍ରଦତ୍ତ ଜାମିନକୁ ରଦ୍ଦ କରିଦେଇଛନ୍ତି । ଆଶୀଷଙ୍କ ଜାମିନକୁ ରଦ୍ଦ କରି ସୁପ୍ରିମ କୋର୍ଟ ତାଙ୍କୁ ଆଗାମୀ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଛନ୍ତି । ଜାମିନ ରଦ୍ଦ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଆହ୍ଲାବାଦ ହାଇକୋର୍ଟ ଦ୍ୱାରା ଦିଆଯାଇଥିବା ଜାମିନ ଏକ ତରବରିଆ ନିଷ୍ପତ୍ତି। ଆହ୍ଲାବାଦ ହାଇକୋର୍ଟ ଘଟଣାରେ ଲଖିମପୁର ଖେରୀ ହିଂସାକାଣ୍ଡ ପୀଡିତଙ୍କ ପକ୍ଷକୁ ନଶୁଣି ଏକତରଫା ଜାମିନ ପ୍ରଦାନ କରିଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନା ଅନୁଯାୟୀ, ଗତ ଫେବୃଆରୀ ୧୦ ତାରିଖରେ ଆହ୍ଲାବାଦ ହାଇକୋର୍ଟ ଆଶିଷଙ୍କୁ ଜାମିନ ପ୍ରଦାନ କରିଥିଲେ । ପ୍ରାୟ ୧୨୯ ଦିନ ଜେଲରେ ରହିବା ପରେ ଜାମିନ ବଳରେ ଫେବୃଆରୀ ୧୫ ତାରିଖରେ ଜେଲ୍ରୁ ବାହାରକୁ ବାହାରିଥିଲେ ଆଶିଷ । ୨୦୨୧ ଅକ୍ଟୋବର ୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ବିଜେପି କର୍ମୀଙ୍କ ସହ ଯାଉଥିବା ସମୟରେ ଘଟଣା ସ୍ଥଳରେ ତାଙ୍କୁ ଚାଷୀ ଘେରିଥିଲେ । ଏହି ସମୟରେ ସେ ଚାଷୀଙ୍କ ଭିଡ଼ ଉପରେ ଅତର୍କିତ ଭାବରେ ଜିପ୍ ଚଢାଇ ଦେଇଥିଲେ । ତେବେ ଘଟଣାସ୍ଥଳରେ ୮ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଉତ୍ତରପ୍ରଦେଶ ରାଜ୍ୟ ତଦନ୍ତ ଟିମ୍ ୫୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ଏହା ଘଟଣାରେ ଆଶିଷଙ୍କୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଅଭିଯୋଗ କରିଥିଲା ଏସଆଇଟି ।