କେନ୍ଦ୍ରକୁ ୨ଟି ହେଲିକାପ୍ଟର ମାଗିଲା ଓଡିଶା

(ଆଦର୍ଶ ରାଉତ) ଭୁବନେଶ୍ୱର: କେନ୍ଦ୍ରର ତୀକ୍ଷ୍ଣ ନଜର ରହିଛି ସାମୁଦ୍ରିକ ଝଡ଼ ଫନି ଉପରେ । ପୁଣି ଥରେ କେନ୍ଦ୍ର କ୍ୟାବିନେଟ ସଚିବ ପି.କେ.ସିହ୍ନା ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ଆଉ ଏକ ଜରୁରୀ ବୈଠକ ଡାକି ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ବୈଠକରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଓ ପ୍ରମୁଖ ସଚିବମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ପରିସ୍ଥିତିର ମୁକାବିଲା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ବାତ୍ୟା ମୁକାବିଲା ଲାଗି ୨ଟି ହେଲିକାପ୍ଟର ଓ ଏନଡିଆରଏଫର ଅତିରିକ୍ତ ଟିମ ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ ।
ଏହି ସାମୁଦ୍ରିକ ଝଡ଼ ଫଳରେ ସୃଷ୍ଟି ହେବାକୁ ଥିବା ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କର ପଦାଧିକାରୀମାନେ ବୈଠକରେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ପୁନଶ୍ଚ ସମୁଦ୍ର ମଧ୍ୟକୁ ନଯିବା ପାଇଁ ରାଜ୍ୟ ସରକାରମାନେ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରିଛନ୍ତି । ଏହି ନିଷେଧାଦେଶକୁ ଦୃଢତାର ସହ ପାଳନ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟ ସରକାରମାନଙ୍କର ଅନୁରୋଧ ମୁତାବକ ଏସଡିଆରଏଫର ପ୍ରଥମ ଦଫାକୁ ଆଗୁଆ ପ୍ରଦାନ କରିବା ପାଇଁ ଘରୋଇ ମନ୍ତ୍ରଣାଳୟ ତରଫରୁ ଆଶ୍ୱାସନା ପ୍ରଦାନ କରାଯାଇଥିଲା ।