ଗୁରୁଗ୍ରାମରେ ସ୍ମାର୍ଟ LPG ATM ଆରମ୍ଭ, ଆଉ ଲାଇନ୍‌ରେ ଠିଆ ହେବା ଦରକାର ନାହିଁ

New Delhi: ମଧ୍ୟପ୍ରାଚ୍ୟରେ ବଢୁଥିବା ଯୁଦ୍ଧ ଓ ଉତ୍ତେଜନାର ପ୍ରଭାବ ଏବେ ଭାରତରେ ମଧ୍ୟ ଦେଖିବାକୁ ମିଳୁଛି। ବିଶେଷ କରି ରୋଷେଇ ଘରର ମୁଖ୍ୟ ଆବଶ୍ୟକୀୟ ବସ୍ତୁ LPG ଗ୍ୟାସ୍‌କୁ ନେଇ କେତେକ ସ୍ଥାନରେ ସମସ୍ୟା ସୃଷ୍ଟି ହୋଇଛି। କିନ୍ତୁ ଏହାର ସମାଧାନ ପାଇଁ ଏବେ ଆସିଛି ଏକ ନୂଆ ବ୍ୟବସ୍ଥା। ଗୁରୁଗ୍ରାମରେ ଭାରତ ପେଟ୍ରୋଲିୟମ ପକ୍ଷରୁ ଆରମ୍ଭ ହୋଇଛି ସ୍ମାର୍ଟ LPG ATM ସେବା। ଏହି ବ୍ୟବସ୍ଥାରେ ଗ୍ରାହକମାନେ ଆଉ ସିଲିଣ୍ଡର ପାଇଁ ଲମ୍ବା ଲାଇନ୍‌ରେ ଠିଆ ହେବାକୁ ପଡିବ ନାହିଁ କିମ୍ବା ଡେଲିଭରି ପାଇଁ ଅପେକ୍ଷା କରିବାକୁ ହେବ ନାହିଁ।

ସୋହନା ସେକ୍ଟର-୩୩ରେ ସ୍ଥାପିତ ଏହି LPG ATM ରୁ ମାତ୍ର ୨ ରୁ ୩ ମିନିଟ୍‌ ମଧ୍ୟରେ ଗ୍ରାହକ ଗ୍ୟାସ୍ ସିଲିଣ୍ଡର ପାଇପାରିବେ। ୨୪ ଘଣ୍ଟା ଉପଲବ୍ଧ ଏହି ସେବା ଗ୍ରାହକଙ୍କୁ ଯେକୌଣସି ସମୟରେ ସୁବିଧା ଦେବ। ଏହି ATMରେ ମିଳୁଛି କମ୍ପୋଜିଟ୍ ସିଲିଣ୍ଡର, ଯାହା ହାଲୁକା ଓ ପାରଦର୍ଶୀ। ସାଧାରଣ ଲୁହା ସିଲିଣ୍ଡର ଠାରୁ ଏହା ବହୁତ ସୁବିଧାଜନକ। ଗ୍ରାହକମାନେ ସହଜରେ ଦେଖିପାରିବେ ସିଲିଣ୍ଡରରେ କେତେ ଗ୍ୟାସ୍ ବାକି ଅଛି।

ଏହାର ବ୍ୟବହାର ପ୍ରକ୍ରିୟା ମଧ୍ୟ ସରଳ। ପ୍ରଥମେ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ଏଣ୍ଟ୍ରି କରି OTP ଭେରିଫିକେସନ୍ କରିବାକୁ ପଡିବ। ପରେ ଖାଲି ସିଲିଣ୍ଡରର ବାରକୋଡ୍ ସ୍କାନ କରି UPI କିମ୍ବା କାର୍ଡ ଦ୍ୱାରା ପେମେଣ୍ଟ କଲେ, ମେସିନ୍ ସିଧାସଳଖ ଭର୍ତ୍ତି ସିଲିଣ୍ଡର ଦେଇଦେବ।ବର୍ତ୍ତମାନ ଏହାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି। ଯଦି ଏହା ସଫଳ ହୁଏ, ତେବେ ଆଗାମୀ ଦିନରେ ସାରା ଦେଶରେ ଏଭଳି LPG ATM ସେବା ଆରମ୍ଭ ହେବାର ସମ୍ଭାବନା ରହିଛି।