(ଶୁଭସ୍ମିତା ଦାଶ): ପୁରୀ ବଡ଼ଦାଣ୍ଡରେ ଲଙ୍କାକାଣ୍ଡ ଘଟଣା ପରେ ସ୍ୱଭାବିକ ହୋଇଥିଲା ଶ୍ରୀ ଜିଉଙ୍କ ଦର୍ଶନ । ସେହି ପରି ଆଜି ମଧ୍ୟ ଆଶ୍ଚର୍ଯ୍ୟ କଲାପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ବିଶ୍ୱପ୍ରସିଦ୍ଧ ପର୍ୟ୍ୟଟନ କ୍ଷେତ୍ର ପୁରୀରେ ପହଂଚିଛନ୍ତି ପାକିସ୍ତାନୀ । ଆତଙ୍କବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ପଡୋଶୀ ପାକିସ୍ତାନରୁ ଆସିଥିବା ହିନ୍ଦୁ ଭକ୍ତମାନେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ପାକିସ୍ତାନର କରାଚି ସହରରେ ବାସ କରୁଥିବା ୧୨୬ଜଣ ହିନ୍ଦୁ ଶୁକ୍ରବାର ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଚକ୍ରତୀର୍ଥ ରୋଡର ଏକ ହଲିଡେ ହୋମ୍ରେ୍ ସେମାନେ ଅବସ୍ଥାନ କରୁଛନ୍ତି। ଇସ୍କନ ଦୀକ୍ଷିତ ଏହି ହିନ୍ଦୁ ଧର୍ମାବଲମ୍ବୀ ରମେଶ କୁମାର ରବିଙ୍କ ନେତୃତ୍ୱରେ ପୁରୀ ଆସିଛନ୍ତି। । କରାଚି, ସିନ୍ଧ ଓ ଅନ୍ୟାନ୍ୟ ପ୍ରଦେଶରୁ ୧୨୬ ଜଣ ହିନ୍ଦୁ ଭକ୍ତ ପୁରୀରେ ପହଂଚିବା ପରେ ବେଶ ଉତ୍ସାହିତ ହୋଇଛନ୍ତି । ଭକ୍ତର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦେଖିବା ପରେ ଏମାନେ ଭାବବିହ୍ୱଳ ହୋଇପଡିଛନ୍ତି । ଭାରତ ସରକାର ମଧ୍ୟ ଏମାନଙ୍କୁ ଭିସା ପ୍ରଦାନରେ ସହାୟତା କଲେ ପ୍ରତିବର୍ଷ ଏମାନେ ଶ୍ରୀକ୍ଷେତ୍ର ଆସି ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ବୋଲି କହିଛନ୍ତି । ତେବେ ପ୍ରଥମଥର ଏପରି ଭାବରେ ଏତେ ସଂଖ୍ୟାରେ ପାକିସ୍ତାନୀ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ରତ୍ନ ସିଂହସନରେ ଦର୍ଶନ କରିଛନ୍ତି । ସେମାନେ ଠାକୁରଙ୍କୁ ଦର୍ଶନ କରି ଧନ୍ୟ ହୋଇଛନ୍ତି ବୋଲି ଅନେକ ନିଜର ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପରେ ସେମାନେ ଦେଶର ଅନ୍ୟ କେତେକ ମନ୍ଦିର ପରିଦର୍ଶନ କରିବା କାର୍ୟ୍ୟକ୍ରମ ରହିଛି। ଜଗନ୍ନାଥ ଧାମରେ ଶତାଧିକ ପାକିସ୍ତାନୀ ଭକ୍ତ ପହଂଚିବା ପରେ ଚର୍ଚ୍ଚା ଜୋର ଧରିଛି ।