ଆଜି ସାବିତ୍ରୀ ଅମାବସ୍ୟା : ପବିତ୍ରତା ଆଗରେ ସ୍ୱୟଂ ଯମରାଜ ବି ପରାସ୍ତ!

ଆଜି ସାବିତ୍ରୀ ଅମାବସ୍ୟା । ଓଡ଼ିଆମାନଙ୍କର ଗଣପର୍ବ ମଧ୍ୟରୁ ଏହା ହେଉଛି ଅନ୍ୟତମ । ଓଡିଆ ଘରର ଏହି ପର୍ବଟିକୁ ସାଧାରଣରେ ସଧବାମାନେ ହିଁ ପାଳନ କରିଥାନ୍ତି । ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ପୁରାଣ ମାନଙ୍କରେ ସାବିତ୍ରୀ ବ୍ରତ ୩ ଦିନ ପାଳନ କରିବାର ବିଦ୍ଧି ରହିଥିଲେ ମଧ୍ୟ ଓଡ଼ିଶା ସମେତ ଅନ୍ୟାନ୍ନ ରାଜ୍ୟରେ କେବଳ ଅମାବାସ୍ୟା ଦିନ ପାଳିତ ହୋଇଥାଏ । ଏହାକୁ ସେଠାରେ ବଟ ସାବିତ୍ରୀ ବୋଲି ମଧ୍ୟ କୁହାଯାଏ । ଭାରତର ଅନ୍ୟ ରାଜ୍ୟଗୁ଼ଡିକରେ ସାବିତ୍ରୀ ପୂର୍ଣ୍ଣମୀ ମଧ୍ୟ ପାଳନ ହୁଏ । ସାବିତ୍ରୀ ବ୍ରତ ନାରୀ ମାନଙ୍କର ଏକାନ୍ତ କର୍ତ୍ତବ୍ୟ । ଯେଉଁ ନାରୀ ମାନେ ଶୁଦ୍ଧି ମତରେ ବ୍ରତ କରନ୍ତି । ସେମାନଙ୍କର ସର୍ବ ଶୁଭ ହୋଇ ମନବାଛା ମନର ଇଛା ପୂର୍ଣ୍ଣ ହୋଇଥାଏ । ଏହି ବ୍ରତରେ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି । ସ୍ୱାମୀ ହିଁ ସ୍ତ୍ରୀର ସର୍ବସ୍ୱ । ଏହି ଦିନ ନାରୀ ମାନେ ନୂଆ ଲୁଗା ପିନ୍ଧି ସେଓ, କଦଳୀ, କାକୁଡି,ନଡିଆ ପ୍ରଭୃତି ୨୧ ଟି ଫଳ ପୂଜା କରନ୍ତି ।

କିମ୍ବଦନ୍ତୀ ଅନୁସାରେ, ସତ୍ୟବାନ ଅଳ୍ପାୟୁ ଥିଲେ ବି ମୃତ୍ୟୁକୁ ଜୟ କରିଥିଲେ । ଏହା ସମ୍ଭବ ହୋଇଥିଲା ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ପାଇଁ । ଜଣେ ଶ୍ରେଷ୍ଠ କନ୍ୟା ହେଲେ ସାବିତ୍ରୀ । ସେ ଥିଲେ ରାଜକନ୍ୟା । ସାବିତ୍ରୀ ଦେବୀଙ୍କୁ ପ୍ରାର୍ଥନା କରି ମାଦ୍ରଦେଶର ରାଜା ଅଶ୍ୱପତି ତାଙ୍କୁ କନ୍ୟା ରୂପେ ପାଇଥିଲେ । ସତ୍ୟବାନଙ୍କ ରୂପ ଓ ଗୁଣରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିବେ ବୋଲି ଇଚ୍ଛା କରିଥିଲେ । ବିବାହ ପରେ ସତ୍ୟବାନ ଗୋଟିଏ ବର୍ଷ ବଂଚିବେ ଜାଣି ମଧ୍ୟ ତାଙ୍କୁ ବିବାହ କରି ଜଙ୍ଗଲରେ ରହୁଥିଲେ । ଠିକ୍ ବର୍ଷକ ପରେ ସତ୍ୟବାନଙ୍କ ମୃତ୍ୟୁ ହୋଇଥିଲା ।

ମହାସତୀ ସାବିତ୍ରୀଙ୍କ ତପ ବଳରେ ସେ ପୁର୍ନଜନ୍ମ ପାଇଥିଲେ । ଯମରାଜଙ୍କୁ ନିଜର ଯୁକ୍ତି ବଳରେ ସନ୍ତୁଷ୍ଟ କରି ସାବିତ୍ରୀ ନିଜ ସ୍ୱାମୀଙ୍କୁ ଫେରିପାଇଥିଲେ । ଏନେଇ ରାଜ୍ୟର ବିଭିନ୍ନ ଦେବାଳୟ ଓ ଘରେ ଘରେ ସାବିତ୍ରୀ ବ୍ରତ ପାଇଁ ସଧବା ନାରୀମାନେ ସଜବାଜ ହେଉଛନ୍ତି । ଅନ୍ନ ଜଳ ସ୍ପର୍ଶ ନକରି ସେମାନେ ଏହି ବ୍ରତ ପାଳନ କରି ସ୍ୱାମୀଙ୍କୁ ପୂଜା କରିବାର ପରଂପରା ରହିଛି । ଏଥି ପାଇଁ ହିନ୍ଦୁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଛି ।