ଭୁବନେଶ୍ୱର: ମୋ ସଂସାର ଉଜୁଡ଼ିଗଲା । ମୋ ଝିଅର ଆତ୍ମହତ୍ୟା ପାଇଁ ଯେଉଁମାନେ ଦାୟୀ ପୋଲିସ ସେମାନଙ୍କୁ ଗିରଫ କରୁ। ମୋ ଝିଅକୁ ନ୍ୟାୟ ମିଳୁ …ଏପରି ଥିଲା ସୁନା ଝିଅ ପାଇଁ ଭବିଷ୍ୟତର ସ୍ୱପ୍ନ ଦେଖିଥିବା ମା’ର କୋହଭରା ନିବେଦନ। ଝିଅର ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ରୁଚିକା ମହାନ୍ତିଙ୍କ ବାପା ମା କଲେଜ ଗେଟ୍ ସମ୍ମୁଖରେ ନ୍ୟାୟ ଅପେକ୍ଷାରେ ଧାରଣାରେ ବସିଛନ୍ତି । ରୁଚିକାଙ୍କୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି । “ସେ ନୋ ଟୁ ରାଗିଂ’, “ୱି ୱାଂଟ ଜଷ୍ଟିସ ଫର ରୁଚିକା ମହାନ୍ତି ‘ ବ୍ୟାନର ଧରି ଧାରଣାରେ ବସିଛନ୍ତି ଛାତ୍ର ସଂଗଠନ ।
– ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସିଡିଆର ରିପୋର୍ଟ ଯାଞ୍ଚ
ଆତ୍ମହତ୍ୟା ମାମଲାକୁ ନେଇ ପୋଲିସର ତନାଘନା ଜାରି । ଭୁବନେଶ୍ୱର ଜୋନ-୪ ଏସିପି ପରେଶ କୁମାର ରାଉତଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଟିମରେ ବଡ଼ଗଡ଼ ଥାନାଧିକାରୀ ଏବଂ ଜଣେ ସବଇନ୍ସପେକ୍ଟର ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦୦ ଜଣଙ୍କୁ କରାଗଲାଣି ଜେରା । ଗତ ରବିବାର ଦିନ ୬୨ ଜଣଙ୍କୁ ପଚରାଉଚୁରା କରିବା ସହ ପୋଲିସ ବୟାନ ରେକର୍ଡ଼ କରିଛି ତେବେ ରାଗିଙ୍ଗ କରିଥିବା ଛାତ୍ରୀ ଯୁକ୍ତ ୩ ବିଜ୍ଞାନ ଶେଷବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି । ହଷ୍ଟେଲର ସମସ୍ତ ୧୩୪ ଜଣ ଛାତ୍ରୀଙ୍କୁ ପଚରାଉଚରା କରାଯାଉଛି। ହଷ୍ଟେଲ ଓ୍ୱାର୍ଡେନ୍, ସୁପରିଟେଣ୍ଡେଣ୍ଟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ସେପଟେ ରୁଚିକାଙ୍କ ମୋବାଇଲ ଜବତ କରି ଅନେକ ତଥ୍ୟ ହାତେଇଛି ପୋଲିସ । ସେ କେଉଁମାନଙ୍କ ସହ ଚାଟିଂ କରିଥିଲେ ? କିଏ ତାଙ୍କୁ କଲ କରିଥିଲା ? ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସିଡିଆର ରିପୋର୍ଟ ପର୍ୟ୍ୟନ୍ତ ଯାଞ୍ଚ କରିବ ପୋଲିସ ।
– ସନ୍ଦେହରେ ସୁଇସାଇଡ୍ ନୋଟ୍, ରୁଚିକା ନା ଆଉ କିଏ ?
ତେବେ ଏସବୁ ମଧ୍ୟରେ, ରୁଚିକାଙ୍କ ସୁଇସାଇଡ୍ ନୋଟକୁ ବି ନେଇ ବଢିଛି ଚର୍ଚ୍ଚା । କିଏ ସେ ସୁଇସାଇଡ୍ ନୋଟ୍ ଲେଖିଛି ରୁଚିକା ନା ଆଉ କିଏ ? କାରଣ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ଯିବା ବେଳକୁ ରୁଚିକାଙ୍କ ରୁମ୍ ଖୋଲା ଥିଲା । ଏବଂ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତ ଦେହ ଜବତ କରାଯାଇଥିଲା । ତେବେ ରାଜ୍ୟର ଏକ ପ୍ରମୁଖ କଲେଜ ଭାବେ ପରିଚିତ ବିଜେବି କଲେଜରେ ଏପରି ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଜନ ସାଧାରଣରେ ପ୍ରତିକ୍ରିୟା ଉଠୁଛି ।
– ମୃତ୍ୟୁ ପାଇଁ ଦାୟୀ ୩ଜଣ ସିନିଅର କିଏ ?
ସେପଟେ ସୁଇସାଇଡ୍ ନୋଟରେ ଲେଖାଥିବା ୩ ସିନିୟର ଛାତ୍ରୀ କିଏ ତାକୁ ନେଇ ଉଠିଛି ପ୍ରଶ୍ନ । ପୁଲିସ୍ ସବୁ ଜାଣି ବି ଛାତ୍ରୀଙ୍କୁ ଗିରଫ କରୁନି ବୋଲି ଅଭିଯୋଗ ଆଣିଛନ୍ତି ରୁଚିକାଙ୍କ ମା’ । ସେମାନଙ୍କୁ ଗିରଫ କରିବା ସହ ଏଥିରେ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଗିରଫ କରିବାକୁ ସେମାନେ ନିଜ ଦାବିରେ ଅଡ଼ି ବସିଛନ୍ତି । ଯେଉଁ ପର୍ୟ୍ୟନ୍ତ ସେହି ୩ ସିନିଅରଙ୍କୁ ଗିରଫ କରାଯାଇନି, ସେପର୍ୟ୍ୟନ୍ତ ଏଠାରୁ ଉଠିବେ ନାହିଁ ବୋଲି କହିଛନ୍ତି ରୁଚିକାଙ୍କ ମା ।
– କଲେଜ କର୍ତ୍ତୃପକ୍ଷ ଜାଣିପାରୁ ନାହାନ୍ତି ନା ସବୁଜାଣି ଚୁପ୍ ?
କୌଣସି ଛାତ୍ରୀଙ୍କୁ ରାଗିଙ୍ଗ କରାଯାଇପାରିବ ନାହିଁ । ଯଦି କେହି ରାଗିଙ୍ଗର ଶିକାର ହୁଏ ତେବେ ତା ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ ।କିନ୍ତୁ ଉଦବେଗର କଥା ଯେ, ଖୋଦ ରାଜଧାନୀ ଛାତି ଉପରେ ଥିବା ବେଶ ଚର୍ଚ୍ଚିତ ବିଜେବି କଲେଜରେ ଏପରି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି । ଏଠି ପ୍ରଶ୍ନ ଉଠୁଛି , ରାଗିଙ୍ଗ ଚାଲୁଥିଲେ ବି କଲେଜ କତ୍ତୃପକ୍ଷ ଜାଣିପାରିଲେଣି କେମିତି ? ଜାଣିପାରି ନଥିଲେ ନା ସବୁଜାଣି ଚୁପ୍ ଥିଲେ ? ଏହି ପ୍ରସଙ୍ଗ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଏବଂ କତ୍ତୃପକ୍ଷଙ୍କ ଦୁର୍ବଳ କାର୍ୟ୍ୟଦକ୍ଷତାକୁ ପଦାରେ ପକାଇଛି । ତେବେ ଯଦି ଖୋଦ ରାଜଧାନୀର ଏପରି ଅବସ୍ଥା ତେବେ ସାରା ରାଜ୍ୟର ସ୍ଥିତି କଣ ଥିବ ଏଥିରୁ ଅନୁମାନ କରାଯାଇ ପାରେ