ଲିଙ୍ଗରାଜ ମନ୍ଦିରରେ ପୁଣି ନୀତିକାନ୍ତି ବନ୍ଦ: ସେବାୟତଙ୍କ ମଧ୍ୟରେ ବିବାଦ, ଭକ୍ତମାନଙ୍କ ଅସନ୍ତୋଷ

Bhubaneswar: ଭୁବନେଶ୍ୱରର ପ୍ରସିଦ୍ଧ ଶୈବ ପୀଠ ଲିଙ୍ଗରାଜ ମନ୍ଦିରରେ ପୁଣିଥରେ ନୀତିକାନ୍ତି ବନ୍ଦ ହେବା ଘଟଣା ଭକ୍ତମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି। ସୋମବାର ସକାଳ ପ୍ରାୟ ୯ଟାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦୈନିକ ନୀତି ବନ୍ଦ ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଗର୍ଭଗୃହ ଭିତରେ ରୂପା ଘୋଡ଼ଣୀକୁ କେନ୍ଦ୍ର କରି ବଡୁ ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ସକାଳୁ ନୀତି ଆରମ୍ଭ ସମୟରେ ଦୁଇ ପକ୍ଷରେ କଥାକଟାକାଟି ହୋଇ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବା ସହ ମାରପିଟ ପର୍ଯ୍ୟନ୍ତ ପହଞ୍ଚିଥିବା କୁହାଯାଉଛି। ଏହାର ପ୍ରଭାବରେ ଗର୍ଭଗୃହରେ ନୀତିକାନ୍ତି ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ସୁଆର ନିଯୋଗ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବାନୁସାରେ, ସୁଆର ନିଯୋଗ ପକ୍ଷରୁ ତାଙ୍କୁ ଜୀବନନାଶୀ ଧମକ ଦିଆଯାଇଛି। ଏହା ସହିତ ମହାପ୍ରଭୁଙ୍କ ରୂପା ଘୋଡ଼ଣୀକୁ ନେଇ ଚୋରି ଚେଷ୍ଟା ହୋଇଥିବା ଅଭିଯୋଗ ମଧ୍ୟ ଉଠିଛି, ଯାହାକୁ ବଡୁ ନିଯୋଗ ପକ୍ଷରୁ ବିରୋଧ କରାଯାଇଥିଲା।

ଏହି ଘଟଣା ସମ୍ପର୍କରେ ମନ୍ଦିର ପ୍ରଶାସନକୁ ଅବଗତ କରାଯାଇଥିବା ସହ ସ୍ଥାନୀୟ ଥାନାରେ ଅଭିଯୋଗ ମଧ୍ୟ ଦାଖଲ ହୋଇଛି। ବର୍ତ୍ତମାନ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ନୀତିକାନ୍ତିକୁ ସ୍ୱାଭାବିକ କରିବା ପାଇଁ ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହିଛି।

ଘଟଣା ପରେ ମନ୍ଦିର ପରିସରରେ ଅଚଳାବସ୍ଥା ଜାରି ରହିଛି ଏବଂ ଭକ୍ତମାନେ ଦର୍ଶନରେ ବାଧା ସମ୍ମୁଖୀନ ହେଉଛନ୍ତି। ତେବେ ଏହି ପ୍ରକାରର ବିବାଦ ଲିଙ୍ଗରାଜ ମନ୍ଦିରରେ ପ୍ରଥମ ନୁହେଁ; ପୂର୍ବରୁ ମଧ୍ୟ ସେବାୟତମାନଙ୍କ ମଧ୍ୟରେ ଏପରି ଘଟଣା ଘଟିଥିଲା, ଯାହାର ପ୍ରଭାବ ନୀତିକାନ୍ତି ଉପରେ ପଡ଼ିଥିଲା।