ଘରକୁ ଫେରିଲେ ଓଡ଼ିଆ ଇଞ୍ଜିନିୟର ଶିବାଶିଷ

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : କରୋନା ଅନୁଭୂତି ବଖାଣିଛନ୍ତି ଜାପାନରେ ଏକ ଜାହାଜରେ କିଛି ଦିନ ଧରି ଫସି ରହିବା ପରେ ସୁରକ୍ଷିତ ଭାବେ ଘରକୁ ଫେରିଥିବା ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ। ଗତକାଲି ରାତିରେ ସେ ଘରକୁ ଫେରିଛନ୍ତି। ଜାପାନରୁ ଉଦ୍ଧାର କରାଯିବା ପରେ ଦିଲ୍ଲୀରେ କ୍ୱାରେଣ୍ଟାଇନ୍‌ ପିରିଅଡ୍‌ରେ ଶିବାଶିଷ ଓ ଅନ୍ୟମାନଙ୍କୁ ରଖାଯାଇଥିଲା। ତେବେ କ୍ୱାରେଣ୍ଟାଇନ୍‌ ପିରିଅଡ୍‌ ଶେଷ ହେବାପରେ ଶିବାଶିଷ ଓ ଅନ୍ୟମାନଙ୍କୁ ଘରକୁ ଫେରିବାକୁ ଅନୁମତି ଦିଆଯାଇଥିଲା।
କରୋନା ଆକ୍ରାନ୍ତ ସନ୍ଦେହରେ ବ୍ରହ୍ମପୁର ପନ୍ଦରା ସାହିର ଶିବାଶିଷଙ୍କ ସହ ଡାଇମଣ୍ଡ ପ୍ରିନ୍ସେସ କର୍ମଚାରୀ ଓ ଯାତ୍ରୀମାନଙ୍କୁ ଅଟକ ରଖାଯାଇଥିଲା। ଫେବୃଆରୀ ୪ ତାରିଖରୁ ସେମାନେ ଜାପାନର ୟୋକୋହମା ବନ୍ଦରରେ ଫସି ରହିଥିଲେ। ଏହାପରେ ଭାରତ ସରକାରଙ୍କ ଉଦ୍ୟମରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ସେମାନଙ୍କୁ ଭାରତ ଅଣାଯାଇଥିଲା।
କରୋନା କବଳରୁ ମୁକୁଳି ଆସିଥିବା ଶିବାଶିଷ କହିଛନ୍ତି, “ଗଣମାଧ୍ୟମରେ ଏନେଇ ଖବର ପ୍ରସାରିତ ହେବା ପରେ ଭାରତ ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା। କିନ୍ତୁ ସେତେବେଳକୁ ୪ ଦିନ ବିଳମ୍ବ ହୋଇଯାଇଥିଲା। ଏହା ମଧ୍ୟରେ ୮୦ରୁ ଊର୍ଦ୍ଧ୍ୱ ଯାତ୍ରୀ କରୋନାରେ ଆକ୍ରାନ୍ତ ହୋଇସାରିଥିଲେ।
ସେ ଆହୁରି କହିଛନ୍ତି, ଜାହାଜରେ ଥିବା ଜଣେ ବ୍ୟକ୍ତିଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଦେଲେ, ସମସ୍ତଙ୍କର ସାମ୍ପଲ ଟେଷ୍ଟ କରାଯାଉଥିଲା। କେବଳ ନେଗେଟିଭ୍ ରିପୋର୍ଟ ଆସିଲେ ହିଁ ସେମାନଙ୍କୁ ନିଜ ଦେଶକୁ ଫେରିବାକୁ ଅନୁମତି ଦିଆଯାଉଥିଲା। କିନ୍ତୁ ପଜିଟିଭ୍ ରିପୋର୍ଟ ଆସିଲେ ଜାପାନ ମେଡିକାଲରେ ସେମାନଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଉଥିଲା।