Bhubaneswar: ଗରମରୁ ରାଜ୍ୟବାସୀଙ୍କୁ ମିଳିପାରେ ଆଶ୍ୱସ୍ତି। ଆସନ୍ତା କିଛି ଦିନ ମଧ୍ୟରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷ କରି ମାର୍ଚ୍ଚ ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବା ସମ୍ଭାବନା ରହିଛି।

ପାଣିପାଗ ବିଭାଗ ଅନୁସାରେ, ଉପର ବାୟୁମଣ୍ଡଳରେ ବାୟୁ ପ୍ରବାହରେ ଅସଙ୍ଗତି ଏବଂ ଟ୍ରଫଲାଇନ୍ ବା ନିମ୍ନଚାପ ରେଖାର ପ୍ରଭାବରେ ଏହି ବର୍ଷା ହେବା ସମ୍ଭାବନା ଦେଖାଦେଇଛି। ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ସେହିପରି କିଛି ଅଞ୍ଚଳରେ କୁଆପଥର ବୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ଏହି ସମୟରେ ଝଟକା ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ପାଣିପାଗ ବିଭାଗ କହିଛି ।ଏପରି ସ୍ଥିତିରେ ଲୋକମାନଙ୍କୁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସେପଟେ ରାଜ୍ୟର କିଛି ଅଞ୍ଚଳ, ବିଶେଷ କରି ପଶ୍ଚିମ ଓଡିଶାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଗରମର ପ୍ରଭାବ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।