ରଥଯାତ୍ରା : ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ହେତୁ ବାହାରୁ ଆସିବେ ୨୨୩ ଡାକ୍ତର

କରୋନା ହେତୁ ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ଶ୍ରୀଜିଉଙ୍କ ରଥଯାତ୍ରା ।

 (ପୁରୀ) :  କରୋନା ହେତୁ ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ଶ୍ରୀଜିଉଙ୍କ ରଥଯାତ୍ରା । ବଡ଼ଦାଣ୍ଡକୁ ଓହ୍ଲାଇବେ ତିନି ବିଗ୍ରହ । ଚଳିତବର୍ଷ ରଥଯାତ୍ରାରେ ଚଳିତ ବର୍ଷ ଅଧିକ ଭିଡ଼ ହେବାର ଆକଳନ କରାଯାଇଛି । ପାଖାପାଖି ୧୫ ଲକ୍ଷ ଭକ୍ତ ପୁରୀରେ ପହଞ୍ଚିବେ । ଏମାନଙ୍କୁ ଜରୁରିକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଏକ ଚାଲେଞ୍ଜ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଘୋଷଣା ହୋଇଛି ।

 ସ୍ୱାସ୍ଥ୍ୟସେବାରେ ଅବହେଳା ନକରିବାକୁ ଅଫିସରଙ୍କୁ ଆଦେଶ ଜାରି ହୋଇଛି । ବାହାର ଜିଲ୍ଲାରୁ ୨ଶହରୁ ଅଧିକ ଡାକ୍ତରଙ୍କୁ ରଥଯାତ୍ରା ଡ୍ୟୁଟି ଦିଆଯାଇଛି । ରଥଯାତ୍ରାର ସ୍ୱାସ୍ଥ୍ୟସେବା ପ୍ରସ୍ତୁତି ମୁତାବକ ରଥଯାତ୍ରା ନିମନ୍ତେ ବାହାର ଜିଲ୍ଲାର ୨୨୩ ଜଣ ଡାକ୍ତର ସ୍ୱତନ୍ତ୍ର ଭାବେ ନିୟୋଜିତ ରହିବେ । ‘ଡାକ୍ତର, ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ, ଖାଦ୍ୟ ସୁରକ୍ଷା ଅଧିକାରୀ, ରେଡିଓ ଗ୍ରାଫର ନିୟୋଜିତ ହେବେ । ରୋଗୀ ସଂଖ୍ୟା ବଢ଼ିବା ଆଶଙ୍କା ରହିଥିବାରୁ ସହରାଞ୍ଚଳ ଡାକ୍ତରଖାନାଗୁଡିକରେ ୧୫୫ ଏବଂ ଗ୍ରାମାଞ୍ଚଳ ଚିକିତ୍ସା କେନ୍ଦ୍ରଗୁଡିକରେ ୫୨ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯାଉଛି । ରଥଯାତ୍ରା, ଗୁଣ୍ଡିଚା ମନ୍ଦିର ଓ ସୁନାବେଶରେ ମାଳତୀପାଟପୁର ବସଷ୍ଟାଣ୍ଡରେ ସର୍ଜରୀ ସ୍ପେସାଲିଷ୍ଟ ସେବା ପ୍ରଦାନ କରିବେ ।

 ପୁରୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତରେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ୧୦ଟି ହୋର୍ଡିଂ ଲାଗିବ । ଏଥିରେ ସ୍ୱାସ୍ଥ୍ୟସେବାର ସଂକ୍ଷିପ୍ତ ସୂଚନା ରହିବ । ଆମ୍ବୁଲାନ୍ସ ଓ ଚିକିତ୍ସାଳୟ ସ୍ଥିତି ସମ୍ପର୍କରେ ବି ଏଥିରେ ତଥ୍ୟ ରହିବ । ଏହାଦ୍ୱାରା ରଥଯାତ୍ରାରେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇ ପାରିବ ବୋଲି ଆଶା କରାଯାଇଛି ।